ଆଇନଜୀବୀଙ୍କ ଆନ୍ଦୋଳନ ଘଟଣା : ୧୪ ଗିରଫ ,୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଧ
ବରଗଡ଼ : ଦିନକୁ ଦିନ ଉଗ୍ର ହେଉଛି ସମ୍ବଲପୁର ଆଇନଜୀବୀଙ୍କ ଆନ୍ଦୋଳନ I ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୪ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ୍। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହି ଘଟଣାରେ ଦୃଢ ପଦକ୍ଷେପ ସ୍ୱରୂପ ୨୯ ଜଣ ଓକିଲଙ୍କ ୧୮ ମାସ ପାଇଁ ଲାଇସେନ୍ସ ରଦ୍ଦ କରିଛି ଅଲ ଇଣ୍ଡିଆ ବାର କାଉନ୍ସିଲ I ଏହାଛଡା କୋର୍ଟ ପରିସରରେ ଓ […]
ବରଗଡ଼ : ଦିନକୁ ଦିନ ଉଗ୍ର ହେଉଛି ସମ୍ବଲପୁର ଆଇନଜୀବୀଙ୍କ ଆନ୍ଦୋଳନ I ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୪ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ୍। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହି ଘଟଣାରେ ଦୃଢ ପଦକ୍ଷେପ ସ୍ୱରୂପ ୨୯ ଜଣ ଓକିଲଙ୍କ ୧୮ ମାସ ପାଇଁ ଲାଇସେନ୍ସ ରଦ୍ଦ କରିଛି ଅଲ ଇଣ୍ଡିଆ ବାର କାଉନ୍ସିଲ I ଏହାଛଡା କୋର୍ଟ ପରିସରରେ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଗିରଫଦାରୀକୁ ଆହୁରି ବଢ଼ାଯିବ ବୋଲି କହିଛନ୍ତି ସମ୍ବଲପୁର ଏସ୍ପି ବାତୁଲା ଗଙ୍ଗାଧର।
ସେହିପରି ସମ୍ବଲପୁର କଚେରୀ ଛକରୁ ୫୦୦ ମିଟରରେ ୧୪୪ ଧାରା ଜାରି କରାଯାଇଛି। ନିଷିଦ୍ଧାଂଚଳ ମଧ୍ୟରେ କୌଣସି ସଭାସମିତି ହୋଇପାରିବ ନାହିଁ । ଏହା ସହ ୫ରୁ ଅଧିକ ଲୋକ ନିଷିଦ୍ଧାଞ୍ଚଳରେ ଏକାଠି ହୋଇପାରିବେ ନାହିଁ। 
ସୂଚନାନୁସାରେ ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଗତକାଲି ଏହା ତୀବ୍ର ରୂପ ଧାରଣ କରିଥିଲା। ବହୁ ସଂଖ୍ୟାରେ ଓକିଲ ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଅଭାବନୀୟ ଘଟଣାକୁ ନେଇ ସମ୍ବଲପୁର ଟାଉନ ଥାନା ପୁଲିସ ୩ଟି ମାମଲା ରୁଜୁ କରିଛି। ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି ବାର୍ କାଉନ୍ସିଲ୍ ଅଫ ଇଣ୍ଡିଆ । ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ଏନେଇ ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଆନ୍ଦୋଳନ ବେଳେ ସାମିଲ ହୋଇ ହିଂସା ଘଟାଇବା, ବିଚାରପତିମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ, ସ୍ଲୋଗାନ ଦେବା, ଜଜ୍ମାନଙ୍କ କୁଶପୁତ୍ତଳିକା ଦାହ କରିବା, ବାର କାଉନସିଲ୍ ଅଫ ଇଣ୍ଡିଆ ଓ ରାଜ୍ୟ ବାର କାଉନସିଲ୍ ସଦସ୍ୟଙ୍କ କୁଶପୁତ୍ତଳିକା ପୋଡ଼ିବା, କୋର୍ଟ ରୁମ ଭିତରକୁ ପଶିଭଙ୍ଗା ରୁଜା କରିବା, ପୁଲିସ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦି ଘଟଣାରେ ବାର କାଉନସିଲ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଅନ୍ୟପଟେ ଟାଉନ ଆଇଆଇସି ପ୍ରକାଶ କୁମାର କର୍ଣ୍ଣଙ୍କ ସୂଚନା ଅନୁସାରେ, ନେଲ୍ସନ୍ ମଣ୍ଡେଲା ଛକରେ ପୁଲିସ ସହିତ ଧସ୍ତାଧସ୍ତି ଘଟଣାରେ ଭିମ୍ ଆର୍ମି, ବଜରଙ୍ଗ ଦଳ, ମାରୱାଡ଼ି ଯୁବା ମଞ୍ଚ , ଘୁନ୍ଘୁଟିପଡ଼ା ବିସ୍ଥାପିତ ସଂଗଠନ, ଏବିଭିପି ସହିତ ଅନ୍ୟାନ୍ୟ ସଂଗଠନ ବିରୋଧରେ କେସ୍ ନମ୍ବର ୪୭୯/୧୨/୧୨/୨୨ ମାମଲା ରୁଜୁ କରାଯାଇଛି।




