କୁଞ୍ଜଲତା ନନ୍ଦ ହତ୍ୟା, କିଲର କେୟାର ଟେକରକୁ ରିମାଣ୍ଡରେ ନେଲା ପୋଲିସ
ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ବୁଦ୍ଧ ନଗର ଅଞ୍ଚଳରେ ବୃଦ୍ଧଙ୍କୁ ହତ୍ୟା ଘଟଣା । କିଲର କେୟାର ଟେକର ବଳଭଦ୍ର ମହାରଣା ଗିରଫ । ଅଭିଯୁକ୍ତକୁ ସୁରଟରୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ନେଲା ଲକ୍ଷ୍ମୀ ସାଗର ଥାନା ପୋଲିସ । ସୁରତ ପୋଲିସ ସହାୟତାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏନେଇ ଭୁବନେଶ୍ୱର ଡିସିପି ଅଫିସ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।
ସୂଚନାନୁସାରେ, ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ବୁଦ୍ଧ ନଗରେ ର ଏକ ଫ୍ଲାଟରେ ରହୁଥିଲେ ଅବସରପ୍ରାପ୍ତ ଡ଼ିଏଫଓ ଙ୍କ ୭୬ ବର୍ଷୀୟ ପତ୍ନୀ କୁଞ୍ଜଲତା ନନ୍ଦ । ତାଙ୍କ ପିଲାମାନେ ବାହାରେ ଚାକିରୀ କରୁଥିବାବେଳେ କୁଞ୍ଜଲତା ଏକାକୀ ରହୁଥିଲେ । ତାଙ୍କ ଦେଖାଶୁଣା କରିବା ପାଇଁ ପ୍ରାୟ ୪ ମାସ ପୂର୍ବରୁ ଖୋର୍ଦ୍ଧା ଟାଙ୍ଗି ଅଂଚଳର ବଳଭଦ୍ର ମହାରଣାକୁ ଘରେ ରଖାଯାଇଥିଲା । ତେବେ ବଳଭଦ୍ର ଟଙ୍କା ସୁନା ଲୋଭରେ ନଭେମ୍ବର ୩ ତାରିଖରେ କୁଞ୍ଜଲତାଙ୍କୁ ହତ୍ୟା କରି ଘରୁ ନଗଦ ୩୨ ହଜାର ଟଙ୍କା ଓ ୫୦ରୁ ୬୦ ଗ୍ରାମ ସୁନା ସହ ଏକ ସ୍କୁଟିରେ ଫେରାର ହୋଇଯାଇଥିଲା ।
ଏହି ଲୋମହର୍ଷଣକାରୀ ହତ୍ୟା ଘଟଣା ପରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ । ଦୁଇଟି ପୋଲିସ ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ଚଢ଼ାଉ କରୁଥିବାବେଳେ ସେ ରାଜ୍ୟ ବାହାରକୁ ଖସି ଯାଇଥିବା ସୂଚନା ମିଳିଥିଲା । ଏହାପରେ ସେ ସୁରଟରେ ଥିବା ନେଇ ପୁଲିସକୁ ଖବର ମିଳିଥିଲା । ସୁରଟ କ୍ରାଇମବ୍ରାଞ୍ଚ ଏବଂ ଭଦୋଦରା ରୁରାଲ ସ୍ପେଶିଆଲ ଅପରେସନସ ଗ୍ରୁପ ମଙ୍ଗଳବାର ଏକ ମିଳିତ ଅପରେସନ କରି ଅଭିଯୁକ୍ତକୁ କର୍ଜନ ଅଂଚଳରେ ଥିବା କ୍ରିଷ୍ଣା ହୋଟେଲ ନିକଟରୁ ଗିରଫ କରିଥିଲେ । ଅଭିଯୁକ୍ତ ବଳଭଦ୍ର ଅନେକ ମୋବାଇଲ୍ ନମ୍ବର ବ୍ୟବହାର କରି ପୁଲିସକୁ ବାଟବଣା କରିବାକୁ ଚେଷ୍ଟା କରୁଥିଲା ।
ତେବେ ପୋଲିସକୁ ଭୁଆଁ ବୁଲାଇବା ପାଇଁ ସେ ପ୍ରଥମେ ଲୁଧିଆନା ଏବଂ ସେଠାରୁ ସୁରଟ ଯାଇଥିଲା । ଏହାପର ସୁରଟରୁ ଦିଲ୍ଲୀ ଫେରାର ହେଉଥିବାବେଳେ ଲକ୍ଷ୍ମୀସାଗର ପୋଲିସ ହାତରେ ଧରାପଡିଛି । ଗିରଫ ପରେ ତା' ଠୁ କିଛି ମାତ୍ରାରେ ଲୁଟ୍ ସାମଗ୍ରୀ ଜବତ କରାଯାଇଛି ।




