କୁବେର ଡେପୁଟି ମ୍ୟାନେଜର ଗିରଫ
ଭୁବନେଶ୍ୱର : ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଡେପୁଟି ମ୍ୟାନେଜର । ଆୟାବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍ଫେୟାର କର୍ପୋରେଶନ (ଓପିଏଚ୍ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳ ଗିରଫ ହୋଇଛନ୍ତି । ଭିଜିଲାନ୍ସ ଚଢ଼ାଉ ସମୟରେ ବିଦ୍ୟୁତ ରଞ୍ଜନ ଭୋଳଙ୍କ ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ୨୯ ପ୍ଲଟ୍ , ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍ ଠାବ ହୋଇଛି । ଚଢ଼ାଉ ବେଳେ ଘରୁ ମିଳିଛି ୧ କେଜି ୧୪୦ ଗ୍ରାମ ସୁନା ଏବଂ ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା । ଏଥିସହ ଶ୍ରୀ ଭୋଳଙ୍କୁ ଭିଜିଲାନ୍ସ ଗିରଫ କରିଛି। ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ଦଳ ତାଙ୍କ ବିରୋଧରେ ତଦନ୍ତ ଜାରି ରଖିଥିଲା।
ଘଟନାନୁସାରେ, ବିଦ୍ୟୁତ୍ ରଞ୍ଜନ ଭୋଳ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବା କଥା ବହୁ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହେଇ ଆସୁଥିଲା । ଏହାକୁ ନେଇ ଭିଜିଲାନ୍ସ ଟିମ ତାଙ୍କ ଉପରେ ନଜର ରଖି ଆସୁଥିଲା । ତେବେ ମଙ୍ଗଳବାର ଶ୍ରୀ ଭୋଳ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଯାଉଥିବା ସମୟରେ ଭିଜିଲାନ୍ସ ଅଟକାଇଥିଲା । ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୫ ଲକ୍ଷ ୧୮ ହଜାର ୯୦୦ ଟଙ୍କା ନଗଦ ଅର୍ଥ ଜବତ କରିଥିଲା । ସମ୍ବଲପୁରରେ ଟଙ୍କା ମିଳିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଓପିଏଚ୍ଡବ୍ଲ୍ୟୁସି କଲୋନୀ ବାସଭବନରେ ଚଢ଼ଉ କରିଥିଲା । ଏହି ଚଢ଼ାଉ ବେଳେ ତାଙ୍କର ଭୁବନେଶ୍ୱର ରସୁଲଗଡ଼ରେ ଥିବା ଘରୁ ନଗଦ ୫ଲକ୍ଷ ୪୧ ହଜାର ଟଙ୍କା ଜବତ କରାଯାଇଥିବାବେଳେ ଚନ୍ଦ୍ରଶେଖରପୁରସ୍ଥିତ ଭଉଣୀଙ୍କ ଘରୁ ୩୪.୮୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ସମୁଦାୟ ତାଙ୍କଠାରୁ ୪୫ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଛି। ଭିଜିଲାନ୍ସ ଟିମ୍ ତାଙ୍କ ବ୍ୟାଙ୍କ୍ ବାଲାନ୍ସ ଏବଂ ଲକର ଯାଞ୍ଚ କରୁଥିବା ବେଳେ କଳାଧନର ପରିମାଣ ବଢିବ ବୋଲି ଭିଜିଲାନ୍ସ କହିଛି। ବଡ଼ କଥା ହେଲା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଦ୍ୟୁତ୍ଙ୍କ ଭଉଣୀଙ୍କ ବାସଭବନରୁ ୭୦ଟି ୫୦୦ ଟଙ୍କିଆ ନୋଟ ଏକ ଟିଣ ବାକ୍ସରୁ ମିଳିଥିଲା।




