କଣାସ ହତ୍ୟାକାଣ୍ଡ ର ପର୍ଦ୍ଦାଫାସ, ୩ ଗିରଫ

ସୁନା ମୂର୍ତ୍ତି ପାଇଁ ଭଣ୍ଡ ତାନ୍ତ୍ରିକକୁ ହତ୍ୟା

କଣାସ ହତ୍ୟାକାଣ୍ଡ ର ପର୍ଦ୍ଦାଫାସ, ୩ ଗିରଫ
Samaya Live News Picture
Published On

ପୁରୀ :  କଣାସ ମନ୍ଦାରବସ୍ତା ଗାଁର ପର୍ଶୁରାମ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ଫିଟିଲା ଗୁମର । ସୁନା ମୂର୍ତ୍ତି ପାଇଁ ହତ୍ୟା । ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଂଚଳରେ ପର୍ଶୁରାମ ନିଜକୁ ଜଣେ ତନ୍ତ୍ର ସାଧକ ବୋଲି ପରିଚିତ କରାଇଥିଲେ । ପୂଜାପାଠ ଆଳରେ ବିଭିନ୍ନ ଲୋକଙ୍କ ଠାରୁ କିଛି ପଇସା ମଧ୍ୟ ନେଇଥିଲେ । ସେହିପରି ଅଭିଯୁକ୍ତଙ୍କ ଘରେ ସୁନା ମୂର୍ତ୍ତି ଥିବା କହି ତାଙ୍କ ଘରେ ପୂଜାପାଠ କରି ୨ଲକ୍ଷ ଟଙ୍କା ନେଇଥିଲେ । ତେବେ ଗତ ୧୧ତାରିଖ ଦିନ ଅଭିଯୁକ୍ତଙ୍କ ଘରେ ପୂଜା ପାଠ ପରେ ସୁନା ମୂର୍ତ୍ତି ନମିଳିବାରୁ ପର୍ଶୁରାମ ପ୍ରଧାନଙ୍କୁ ଘର ଭିତରେ ଖଟରେ ବାନ୍ଧି ଦେଇ ପ୍ରଥମେ ଛୁରୀ ଭୁସି ଏବଂ ପରେ କିରୋସିନି ଢାଳି ଜିଅନ୍ତା ଜାଳି ଦେଇଥିଲେ ଅଭିଯୁକ୍ତ । ଗତ ଅଗଷ୍ଟ ୧୧ତାରିଖରେ ଘଟିଥିଲା ଏହି ନାରକୀୟ କାଣ୍ଡ । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ତାପଙ୍ଗର ରାଜକିଶୋର ସାହୁ, ସୁରେଶ ସାହୁ ଓ କେନ୍ଦ୍ରାପଡାର ସତ୍ୟବ୍ରତ ମଲ୍ଲିକ। ସେମାନଙ୍କଠୁ ଛୁରୀ, ବାଇକ୍, ମୋବାଇଲ ଜବତ କରାଯାଇଛି l ହତ୍ୟାର କାରଣ ପ୍ରେମ, ପ୍ରତାରଣା ଓ ୨ ଲକ୍ଷ ଟଙ୍କା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି ।  

ଘଟନାନୁସାରେ, କଣାସ ମନ୍ଦାରବସ୍ତ ଅଞ୍ଚଳରେ ପର୍ଶୁରାମ ପ୍ରଧାନ (୬୧) ଗାଁ ମୁଣ୍ଡରେ ସ୍ତ୍ରୀ ଓ ପୁଅ ସହ ରହୁଥିଲେ । ଘରେ ଏକ ଦେବୀ ମନ୍ଦିର କରି ପୂଜା ସାଧନା କରୁଥିଲେ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିଦେବେ ବୋଲି ପ୍ରଚାର କରିଥିଲେ । ଏହାର ଫାଇଦା ଉଠାଇ ଅନେକ ଲୋକଙ୍କଠାରୁ ଟଙ୍କା ନେଇଥିଲେ। 

ପର୍ଶୁରାମଙ୍କ ବିଷୟରେ ଜାଣିବା ପରେ ଖୋରଧା ମଦର ବାଣିଆ ଟାଙ୍ଗି ଅଞ୍ଚଳରେ ଫାଷ୍ଟ ଫୁଡ୍ ଦୋକାନ କରିଥିବା ମୁଖ୍ୟ ଅଭିଯୁକ୍ତ ରାଜକିଶୋର ସାହୁ ଆସିଥିଲେ । ସେ ତାଙ୍କ ସାନଭାଇ ରାକେଶର ପ୍ରେମ ସମ୍ପର୍କ ଭାଙ୍ଗିବା ପାଇଁ ପର୍ଶୁରାମଙ୍କ ୧୯ ହଜାର ଟଙ୍କା ଦେଇଥିଲା । ଟଙ୍କା ପାଇବା ପରେ ପର୍ଶୁରାମ ରାଜକିଶୋରକୁ ଆଉ ଏକ ଲୋଭ ଦେଖାଇଥିଲା । ରାଜକିଶୋର ଜମିରେ ୧୭୦ ଗ୍ରାମ ସୁନାର ଦୁର୍ଗା ମୂର୍ତ୍ତି ଓ ଅଳଙ୍କାର ଭର୍ତି ହାଣ୍ଡି ପୋତା ହୋଇଛି କହି ଖୋଳିବା ପାଇଁ ରାଜକିଶୋରଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ଠକି ନେଇଥିଲା । ଯାହାକୁ ସେ ସାଙ୍ଗ ମାନଙ୍କ ଠାରୁ ଧାର କରି ଆଣିଥିଲା। ତେବେ ଘଟଣା ଦିନ ପୂଜା ପାଠ ସରିବା ପରେ ଜମି ଖୋଲା ଯାଇଥିଲା । ସେଠାରୁ କୌଣସି ସୁନା ମୂର୍ତ୍ତି ନା ହାଣ୍ଡି କିଛି ମିଳି ନଥିଲା । ଏପଟେ ହାତରୁ ଟଙ୍କା ମଧ୍ୟ ଚାଲି ଯାଇଥିଲା । ଶେଷରେ ପ୍ରତିଶୋଧ ନେବାକୁ ଗତ ୧୧ ତାରିଖ ରାତିରେ ରାଜକିଶୋର ଓ ସତ୍ୟବ୍ରତ ବ୍ୟାଗରେ ଲଙ୍କାଗୁଣ୍ଡ, ଅଧା ଲିଟର ପେଟ୍ରୋଲ ଓ ଛୁରୀ ନେଇ ପର୍ଶୁରାମ ଘରେ ପହଞ୍ଚିଲେ। ପରେ ସୁରେଶକୁ ଫୋନ କରି ଡାକି ବାଇକରେ ମନ୍ଦାରବସ୍ତ ନିକଟରେ ଛାଡିବାକୁ କହିଥିଲେ । ରାତିରେ ପର୍ଶୁରାମ ଘରେ ପଶି ତାଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ ରାଜକିଶୋର । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏଥିରେ ପରିଶୋଧ ପରାୟଣ ହୋଇ ରାଜକିଶୋର ପର୍ଶୁରାମଙ୍କୁ ଘର ଭିତରେ ଖଟରେ ବାନ୍ଧି ଦେଇ ଛୁରୀ ମାରିଥିଲା । ପରେ ପୁଣି ଆଣିଥିବା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଏହି ଘଟଣା ରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Tags: