ହାଜତ ମୃତ୍ୟୁ ଘଟଣା, ମୃତକଙ୍କ ଭାଇଙ୍କୁ ମିଳୁଛି ଧମକ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତ ମୃତ୍ୟୁ ଘଟଣା । ସାଙ୍ଘାତିକ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । ମୃତ ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କ ଭାଇ ଶ୍ରୀକାନ୍ତ ସାହୁଙ୍କୁ ଅଜଣା ନମ୍ବରରୁ ଫୋନ କରି ଦିଆଯାଉଛି ଧମକ । ହାଜତ ମୃତ୍ୟୁ ମାମଲାରେ ଏଚ୍ଆର୍ପିସି ପକ୍ଷରୁ ଦ୍ବିତୀୟ ଦିନରେ ତଦନ୍ତ ଜାରି ରହିଛି। ସୁଶାନ୍ତଙ୍କ ଭାଇ ଶ୍ରୀକାନ୍ତ କହିଛନ୍ତି, ଥାନାରେ ନୁହେଁ ମେଡିକାଲ୍ରେ ଭାଇଙ୍କ ଦେହ ଖରାପ ହୋଇଛି ବୋଲି କହିବାକୁ କେହିଜଣେ ଫୋନ କରି ତାଙ୍କ ଉପରେ ବାରମ୍ବାର ଚାପ ପକାଉଛନ୍ତି । ପୁରୁଷୋତ୍ତମପୁର ସହର ତାରାତାରିଣୀ ପୀଠ ନିକଟ ଦିଗନ୍ତ ଡାକବଙ୍ଗଳାରେ ଗତକାଲି ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୃତ ସୁଶାନ୍ତଙ୍କ ପରିବାରବର୍ଗଙ୍କୁ ପଚରାଉଚରା କରାଯାଇଥିବା ବେଳେ ଏଚ୍ଆର୍ପିସି ଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ ଶ୍ରୀକାନ୍ତ ସାହୁ ।
ସେପଟେ, ଏଚ୍ଆର୍ପିସି ଟିମ୍ ମୁଖ୍ୟ ଡିଏସ୍ପି ଅନ୍ନପୂର୍ଣ୍ଣା ବେହେରାଙ୍କ ସହ ୪ଜଣିଆ ଟିମ୍ ମୃତ ସୁଶାନ୍ତ ସାହୁଙ୍କ ପରିବାରକୁ ଜେରା କରିଥିଲେ। ପ୍ରଥମେ ମୃତକଙ୍କ ଭାଇ ଶ୍ରୀକାନ୍ତ ସାହୁ ସମସ୍ତ ତଥ୍ୟ ରଖିଥିଲେ। ପରେ ବାପା ଖଦାଳ ସାହୁ, ପତ୍ନୀ ମାମାଜିନ ଓ ଅନ୍ୟମାନେ ଜଣକ ପରେ ଜଣେ ତଦନ୍ତକାରୀ ଦଳ ସାମନାରେ ଘଟଣା ବାବଦରେ କହିଥିଲେ। ସମସ୍ତଙ୍କ ବୟାନର ଭିଡିଓଗ୍ରାଫି କରାଯାଇଛି। ମେ’ ୨୫ରେ ସୁଶାନ୍ତଙ୍କୁ ତତ୍କାଳୀନ ବାଲିଛାଇ ଫାଣ୍ଡି ଅଧିକାରୀ ଏଏସ୍ଆଇ ବୈକୁଣ୍ଠ ଜେନା ନେବାଠାରୁ ୩୧ ତାରିଖ ରାତିରେ ପରିବାର ଲୋକେ ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଥାନାରୁ ଆଣିବା ଏବଂ ଏମ୍କେସିଜିରେ ମୃତ୍ୟୁ ହେବା ପର୍ଯ୍ୟନ୍ତ ସବୁ ପ୍ରସଙ୍ଗ ତଦନ୍ତକାରୀ ଟିମ୍ ଟିପି ରଖିଥିଲେ ।




