ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗ ଏସଡିଓ
ଗଞ୍ଜାମ : ସୁଧୁରୁ ନାହାନ୍ତି ସରକାରୀ ବାବୁ । ଉପୁରି ଖାଇବା ନିଶାରେ ପ୍ରତି ଦିନ ଜଣେ ଦି'ଜଣ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ଘର ରେଡ ହେବା ସହ ଜବତ ହେଉଛି ପୁଳା ପୁଳା ଟଙ୍କା ସୁନା । କଥା ଯାଇ ହାଟରେ ପଡି ଦାଣ୍ଡରେ ଗଡ଼ିଲେ ବି ତଥାପି ବାବୁଙ୍କ ଛାଡ଼ୁନି ଲୋଭ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ସେହିପରି ଗଞ୍ଜାମ ଭଂଜନଗର ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଘରୁ ମିଳିଛି ନଗଦ ୧୮ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା । ପଞ୍ଚୁ ବେହେରାଙ୍କ ଏକ କାଳୀନ ୫ଟି ଜାଗାରେ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୭ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।
ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ବସନ୍ତବିହାରର ତିନି ମହଲା ଆବାସିକ ଘର , ଭଞ୍ଜନଗର ସରକାରୀ କ୍ୱାଟର ସହ ଅଫିସ , ପୋଲସରାରେ ଥିବା ପୈତୃକ ଘର , ବ୍ରହ୍ମପୁର ଭୀମନଗରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ ।
ବ୍ରହ୍ମପୁର ବାସଭବନରୁ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିବାବେଳେ ଭଞ୍ଜନଗର ସରକାରୀ ବାସଭବନରୁ ମିଳିଛି ୩ ଲକ୍ଷ ୭୨ ହଜାର ଟଙ୍କା । ସେହିପରି ବ୍ରହ୍ମପୁର ସହରରେ ବାବୁଙ୍କ ଏକ ବହୁତଳ କୋଠା ସହ ୫ଟି ପ୍ଲଟ୍ ବି ଥିବା ଜଣାପଡିଛି ।
ସେହିପରି ଗତକାଲି ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଶିକ୍ଷା ବିଭାଗର ଅଡିଟର । ତାଙ୍କ ଘରୁ ମିଳିଥିଲା ୨୮ ଲକ୍ଷ ନଗଦ ଟଙ୍କା । ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିଲା । ଜଣେ କର୍ମଚାରୀଙ୍କ MACP ସ୍କିମ୍ ଅଧୀନରେ ବର୍ଦ୍ଧିତ ଦରମା ପାଇବା ପାଇଁ ଆବଶ୍ୟକ ‘ସର୍ଭିସ୍ ଭେରିଫିକେସନ୍’ କରିଦେବାକୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ।



