ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ ୫ ଯବାନ ଗୁରୁତର, ୪ ନକ୍ସଲ ନିହତ

ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ ୫ ଯବାନ ଗୁରୁତର, ୪ ନକ୍ସଲ ନିହତ
Samaya Live News Picture
Published On

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ଆଇଇଡି ବିସ୍ଫୋରଣ ଏବଂ ଗୁଳିମାଡ଼ରେ ଜଣେ ଅଧିକାରୀଙ୍କ ସମେତ ୫ଜଣ ଯବାନ ଗୁରୁତର। ସୁରକ୍ଷା ବାହିନୀର ପ୍ରତି ଆକ୍ରମଣରେ ୪ରୁ ୫ଜଣ ମାଓବାଦୀ ଟଳିଥିବା ଆଶଙ୍କା କରାଯାଉଛି । ସରଣ୍ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ- ନକ୍ସଲ ଗୁଳି ବିନିମୟ ଜାରି ରହିଛି । ଘଟଣା ସମ୍ବେଦନଶୀଳ ଥିବାରୁ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଇଛି ।  

ସୂଚନାନୁସାରେ, ଗତକାଲି ନକ୍ସଲଙ୍କ ଶେଷ କ୍ୟାଡ଼ର ମିଶିର ବେଶ୍ରା ଓ ତା ସହ କିଛି କ୍ୟାଡ଼ର ନକ୍ସଲ ରହିଥିବା ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟା ନାଗରା ଥାନା ଅନ୍ତର୍ଗତ ବାଲିବା ଗାଁ ନିକଟରେ ନକ୍ସଲଙ୍କ ପକ୍ଷରୁ ସୁରକ୍ଷା ବାହିନୀ ଉପରକୁ ଗୁଳି ଚାଳନା କରାଯାଇଥିଲା । ଆଜି ପୂର୍ବାହ୍ନ ପ୍ରାୟ ୮ଟାରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଥିଲେ ।  ଏଥିରେ କୋବ୍ରା ବାହିନୀ ଇନ୍ସପେକ୍ଟର ସତ୍ୟ ପ୍ରକାଶ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରିବା ଲାଗି ଯିବା ସାଥୀ ଯବାନ ଯିବାବେଳେ ମାଓବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ଶୈଲେଶ କୁମାର ଦୁବେ, ଉତ୍ତମ ସେନାପତି, ଜିତେନ୍ଦ୍ର କୁମାର ରାୟଙ୍କ ସମେତ ମୋଟ୍ ୪ଜଣ ଆହତ ହୋଇଥିଲେ ।  ଗୁରୁତର ଯବାନଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି ।ସର୍ଚ୍ଚ ଅପରେସନ ଚଳାଇଥିବା ଯବାନ ମାନଙ୍କ ପକ୍ଷରୁ ଯୋରଦାର ପାଲଟା ଜବାବ ଦିଆଯାଇଥିଲା । ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନକୁ ବନ୍ଦ କରିବା ପାଇଁ ବିଛାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

 

Tags: