ମା'କୁ ମାରି ପ୍ଳାଷ୍ଟର ଘଟଣାର ମିଳିଲା ପରିଚୟ
ପୁରୀ : ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ମା'କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିଦେବା ଘଟଣାରେ ପୋଲିସକୁ ବଡ଼ ସଫଳତା । ୭ ଦିନ ପରେ ମିଳିଲା ମୃତକଙ୍କ ପରିଚୟ । ମୃତ ମହିଳା ଜଣକ ହେଉଛନ୍ତି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖରଡ଼ ଗ୍ରାମର ଅନ୍ନପୂର୍ଣ୍ଣା ଦଳାଇ । ସେ ନିଜ ସାନ ପୁଅ ମଦନ ଦଳେଇଙ୍କ ସହ ଗତ ୨ ମାସ ପୂର୍ବରୁ ସେହି ଘରେ ଭଡାରେ ରହୁଥିଲେ । ସିଂହଦ୍ଵାର ସମ୍ମୁଖରେ ପାଣି ବୋତଲ ବେପାର କରୁଥିଲା ମଦନ।
ଘଟନାନୁସାରେ, କୁମ୍ଭାରପଡ଼ା ଅଞ୍ଚଳର ଏକ ଭଡ଼ାଘରେ ୪୭ ବର୍ଷୀୟ ମଦନ ଦଳାଇ ତାଙ୍କ ମା’ଙ୍କ ସହ ରହୁଥିଲେ । କିଛି ଦିନ ହେବ ମଦନ ହଠାତ୍ ଫେରାର ହୋଇଯିବା ଏବଂ ମା’ଙ୍କର କୌଣସି ପତ୍ତା ନମିଳିବାରୁ ଘର ମାଲିକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଗତ ୨୪ ତାରିଖରେ ରୋଷେଇ ଘର ଭିତରୁ ଏକ ଅସ୍ୱାଭାବିକ ଦୁର୍ଗନ୍ଧ ଆସିବାରୁ ଘର ମାଲିକ ପୁଲିସକୁ ଖବର ଦେଇଥିଲେ । ସନ୍ଦେହ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁର୍ଗନ୍ଧ ସ୍ଥାନକୁ ଖୋଲିବାରୁ ସେଠାରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା କୁମ୍ଭାରପଡ଼ା ପୋଲିସ । ମା’କୁ ହତ୍ୟା କରିବା ପରେ ମଦନ ମୃତଦେହକୁ ଚଟାଣ ତଳେ ପୋତି ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରି ଦେଇଥିଲା । ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ପୁରୀ ପୋଲିସ ଗଜପତି ଜିଲ୍ଲାର ବିଭିନ୍ନ ଥାନାକୁ ସିସିଟିଭିରୁ ସଂଗୃହୀତ ଫଟୋ ପଠାଇଥିଲା । କାଶୀନଗର ଥାନା ପୁଲିସ ସେହି ଫଟୋକୁ ନେଇ ବିଭିନ୍ନ ଗାଁକୁ ଯାଇଥିଲା । ଖରଡ଼ା ଗାଁରେ ପଚରାଉଚରା ସମୟରେ ଜଣେ ସମ୍ପର୍କୀୟ ଫଟୋକୁ ଚିହ୍ନିଥିଲେ । ପରେ କାଶୀନଗର ପୋଲିସ ସହାୟତାରେ ପୁରୀ ପୋଲିସ ବୃଦ୍ଧାଙ୍କ ପରିଚୟ ପାଇଛି । କିନ୍ତୁ ଦୀର୍ଘ ୪୦ ବର୍ଷ ହେଲା ସେ ଗାଁରୁ ଅନୁପସ୍ଥିତ ଥିବାରୁ ତାଙ୍କ ବିଷୟରେ କାହା ପାଖରେ ବିଶେଷ ଖବର ନଥିଲା । ଏପରିକି ତାଙ୍କ ପରିବାର କାହା ସହିତ ନିୟମିତ ଯୋଗାଯୋଗରେ ମଧ୍ୟ ନଥିଲେ । ଅନ୍ନପୂର୍ଣ୍ଣାଙ୍କ ଦୁଇ ପୁଅ। ସାନ ପୁଅ ମଦନ ଦଳେଇ ମା'କୁ ନିଜ ପାଖରେ ରଖିଥିଲା I ମା' ଓ ପୁଅ ପୁରୀକୁ ପ୍ରାୟ ୬ ମାସ ତଳେ ଆସିଥିଲେ । ସେମାନେ ପ୍ରଥମେ ସର୍ବୋଦୟ ନଗରରେ ରହୁଥିଲେ । ପରେ ଜାଇଗଡ଼ ଜାଗା ପତିତପାବନ ଲେନ୍ ନିକଟ ଭଗବାନ ସାହୁଙ୍କ ଘରେ ଭଡ଼ା ରହୁଥିଲା । ଡାକ୍ତରଖାନା ଛକରୁ ଶ୍ରୀଜଗନ୍ନାଥ ବସରେ ଯାତାୟାତ କରୁଥିଲା । ସବୁଠାରୁ ଆଶ୍ଚର୍ଯ୍ୟ, ସେ ମା'କୁ କାହା ସହ କଥାବାର୍ତ୍ତା କରାଇ ଦେଉନଥିଲା କି ନିଜେ କାହା ସହ ଖୋଲାରେ ଦୁଇ ପଦ କଥା ହେଉନଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି ।
ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ l ସମସ୍ତ ପ୍ରମାଣ ଏକାଠି କରାଯାଉଛି । ହ୍ୟୁମାନ ଇଣ୍ଟେଲିଜେନ୍ସ ଏବଂ ଟେକ୍ନିକାଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଉଦ୍ୟମ ଜାରି ରଖିଥିବା ଏସପି ସୂଚନା ଦେଇଛନ୍ତି ।




