ଫରେଷ୍ଟରଙ୍କ ଘରୁ କେଜିଏରୁ ଉର୍ଦ୍ଧ୍ବ ସୁନା ଠାବ
ଭୁବନେଶ୍ୱର : ସୁନା ପ୍ରେମୀ ଜଙ୍ଗଲବାବୁ । ଫରେଷ୍ଟରଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ଘରୁ ମିଳିଲା କେଜିଏରୁ ଉର୍ଦ୍ଧ୍ବ ସୁନା । ଏହା ସହ ବିପୁଳ ରୁପା ଅଳଙ୍କାର ସହ ବିଦେଶୀ ମୁଦ୍ରା ମଧ୍ୟ ଠାବ ହୋଇଛି ।
ଆଜି ସକାଳେ କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଭୁବନେଶ୍ୱର ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଏହି ସମୟରେ ନିରଞ୍ଜନଙ୍କ ଝାରପଡାରେ ୨ଟି ତିନି ମହଲା କୋଠା, କୋରାପୁଟ ସେମିଳିଗୁଡାରେ ଗୋଟିଏ ବିଲ୍ଡିଂ ସହ ଜଗତସିଂହପୁରରେ ୪ଟି ମୂଲ୍ୟବାନ କୋଠା ଠାବ ହୋଇଛି । ଏହା ସହିତ ଠାକୁର ଘରୁ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା । ଘରେ ବହୁ ମୂଲ୍ୟର ବିଳାସମୟ ସାମଗ୍ରୀ ଏବଂ ବ୍ୟାଙ୍କ, ଡାକ ଜମା ଏବଂ ଅନ୍ୟାନ୍ୟ ନିବେଶ ଏବଂ ୧ ଚାରି ଚକିଆ ଓ ୩ ଦୁଇ ଚକିଆ ଯାନ ଠାବ ହୋଇଛି । ଜଙ୍ଗଲ ବାବୁଙ୍କ ଘରେ ଦାମୀ କାଠରେ ନିର୍ମିତ ହାତୀ ଘୋଡା ଥିବା ଦେଖିବାକୁ ମିଳିଥିଲା ।
୧୯୮୮ ଜାନୁଆରୀ ୨୫ରେ ଫରେଷ୍ଟ ଗାର୍ଡ ଭାବେ କୋରାପୁଟ ଫରେଷ୍ଟ ଡିଭିଜନରେ କାର୍ଯ୍ୟରେ ଯୋଗ ଦେଇଥିଲେ ନିରଞ୍ଜନ ଶତପଥୀ । ସେତେବେଳେ ତାଙ୍କ ଦରମା ଥିଲା ୬୨୫ ଟଙ୍କା । ସ୍ବଳ୍ପ ଦରମାଭୋଗୀ ଜଣେ ସାଧାରଣ ଫରେଷ୍ଟରଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଥିଲା ଭିଜିଲାନ୍ସ ।



