ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ
କେନ୍ଦୁଝର : ପତ୍ନୀ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ । ୨୦୨୪ ମସିହାରେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଫୁଲବାଡି ଗ୍ରାମରେ ସ୍ତ୍ରୀ ରାଧି ଜୁଆଙ୍ଗକୁ ହତ୍ୟା କରିଥିଲେ ସ୍ୱାମୀ ଉଗ୍ରସେନ ଜୁଆଙ୍ଗ । ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା । ଏହା ସହ ତାଙ୍କୁ ୧୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦେଶ ଦିଆଯାଇଛି । ଏହି ମାମଲାରେ ଅଭିଯୋଗ ପକ୍ଷରୁ ମୋଟ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ।
ଘଟନାନୁସାରେ, ଅଭିଯୁକ୍ତ ସ୍ୱାମୀ ଉଗ୍ରସେନ ,ସ୍ତ୍ରୀ ରାଧି ଜୁଆଙ୍ଗ ଚରିତ୍ର କୁ ସନ୍ଦେହ କରୁଥିଲା । ଏହାକୁ ନେଇ ତାଙ୍କ ଭିତରେ ସବୁବେଳେ ପାଟିତୁଣ୍ଡ ହେଉଥିଲା । ୨୦୨୪ ମସିହା ଫେବୃଆରୀ ୧୨ ତାରିଖ ସକାଳେ ଉଗ୍ରସେନ ଜୁଆଙ୍ଗ ସ୍ତ୍ରୀକୁ ପ୍ରବଳ ପିଟିଥିଲା । ସେହି ରାସ୍ତା ଦେଇ ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦି ଯାଉଥିଲେ । ଘଟଣା ନେଇ ଆଶା ଦିଦି ରାଧି ଜୁଆଙ୍ଗର ମା’ କୁ ଜଣାଇଥିଲେ । ରାଧି ର ମା’ ଝିଅ କୁ ନେବା ପାଇ ଆସି ସେହିଦିନ ନ ନେଇପାରି ସେଠାରେ ରହି ଯାଇଥିଲେ । ରାତିରେ ରାଧି ଜୁଆଙ୍ଗ(୨୫) ଶିଶୁ ପୁତ୍ର ସହ ଶୋଇଯିବା ପରେ ଉଗ୍ରସେନ ବୁଡିଆରେ ରାଧି ର ବେକକୁ ହାଣି ଦେଇଥିଲା । ଶାଶୁ ଉଠି ପଡି ଝିଅ ରକ୍ତାକ୍ତ ଅବସ୍ଥାରେ ପଡି ଥିବାର ଦେଖିବା ପରେ ସମସ୍ତଙ୍କୁ ଡାକିଥିଲା । ଉଗ୍ରସେନ ଗୋଟିଏ ହାତରେ ବୁଡିଆକୁ ଧରିଥିଲା । ଘଟଣାସ୍ଥଳରେ ରାଧି ଜୁଆଙ୍ଗର ମୃତ୍ୟୁ ହୋଇଥିଲା । ଏ ନେଇ ୧୩ ତାରିଖ ଦିନ କାଞ୍ଜିପାଣି ଥାନାରେ ଶାଶୁ ସାବିତ୍ରୀ ଜୁଆଙ୍ଗ ଏତଲା ହେବା ପରେ ପୋଲିସ ୫୯/୨୦୨୪ ଦଫା ୩୦୨ ରେ ଏକ ହତ୍ୟା ମାମଲା ରୁଜୁ କରି ଉଗ୍ରସେନ(୩୪)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୬ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କେନ୍ଦୁଝର ଜିଲ୍ଲା ଦୌରାଜଜ୍ ମଙ୍ଗଳବାର ଦିନ ଅଭିଯୁକ୍ତ ଉଗ୍ରସେନ ଜୁଆଙ୍ଗ କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।




