ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ
ଚୌଦ୍ବାର: ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ । ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ତ ଋଷିକେଶରୁ ଗିରଫ କରିଛି କମିଶନରେଟ ପୋଲିସ । ଆଜି ସନ୍ଧ୍ୟା ସୁଦ୍ଧା ଓଡିଶା ରେ ପହଂଚିବ ରାଜା । ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ । ଏହାପରେ କିଛି ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମାଗିବ ପୋଲିସ । ପୂର୍ବରୁ ରାଜା ସାହାଣୀ ସହ ଫେରାର ହୋଇଥିବା ଅନ୍ୟତମ କଏଦୀ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ। ଏହି ଦୁଇ ଅପରାଧୀ ବିହାର ଅଞ୍ଚଳର ।
ସୂଚନାନୁସାରେ ,ଗତବର୍ଷ ଅକ୍ଟୋବର ୨ ତାରିଖ ଦଶହରାରେ ମଧୁକାନ୍ତ ଓ ରାଜା ଚୌଦ୍ୱାର ସେଲର ଲୁହାରଡ କାଟି, କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରି ଜେଲ ପାଚେରୀ ଡେଇଁ ଫେରାର ହୋଇଥିଲେ । ଓଡ଼ିଶାରୁ ଖସିଯାଇ ଉତ୍ତରପ୍ରଦେଶର ବୃନ୍ଦାବନ ଠାରେ ଥିବା ଏକ ମଠରୁ ଚଳିତ ମାସ ଫେବୃଆରୀ ୧୪ ତାରିଖରେ ଧରାପଡ଼ିଥିଲା ମଧୁକାନ୍ତ । ସେହିପରି ଗତକାଲି ଋଷିକେଶରୁ ରାଜା ଗିରଫ ହୋଇଛି । ଗତବର୍ଷ ଜାନୁଆରୀରେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ଏବଂ ହତ୍ୟା ମାମଲାରେ ଏହି ଦୁଇ ଦୁର୍ଦ୍ଦାନ୍ତ କଏଦୀ ସଂପୃକ୍ତ ଥିଲେ ।




