ପୂର୍ବତନ ପୁଲିସ୍ ଏଏସ୍ଆଇଙ୍କୁ ୨ ବର୍ଷ ଜେଲ୍
ଢେଙ୍କାନାଳ : ଅବସରପ୍ରାପ୍ତ ଥାନା ବାବୁଙ୍କୁ ଜେଲ ଦଣ୍ଡ I ଲାଞ୍ଚ ଅଭିଯୋଗରେ ରାସୋଳ ଥାନାର ଅବସରପ୍ରାପ୍ତ ଏଏସଆଇ ଅଭିମନ୍ୟୁ ସାହୁଙ୍କୁ ୨ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ ହୋଇଛି । ୨ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ଜଣେ ଛାତ୍ରଙ୍କ ବାଇକ ଛାଡ଼ିବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଅଭିମନ୍ୟୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।
ସୂଚନାନୁସାରେ, ୧୫ ମାର୍ଚ୍ଚ ୨୦୧୨ରେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଏଏସଆଇ ଅଭିମନ୍ୟୁ ସାହୁ ଏବଂ ତାଙ୍କର ଜଣେ ସହଯୋଗୀ ଏଏସଆଇ ଶ୍ରୀରାମ ଜେନା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ I ଆଇପିସି ଅନୁଯାୟୀ ଏକ ମାମଲାରେ ଜଣେ ଛାତ୍ରଙ୍କ ଜବତ ମୋଟର ସାଇକେଲକୁ ଛାଡିବା ପାଇଁ ଲାଞ୍ଚ ଦାବି କରିବା ଏବଂ ନେବା ପାଇଁ ଚାର୍ଜସିଟ୍ କରାଯାଇଥିଲା । ତାଙ୍କୁ ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଢେଙ୍କାନାଳ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ବିଚାର ଚାଲିଥିବା ବେଳେ ୨୦୨୧ ଡିସେମ୍ବର ୧୭ ତାରିଖରେ ଅଭିଯୁକ୍ତ ପୁଲିସ୍ ଏଏସ୍ଆଇ ଶ୍ରୀରାମ ଜେନାଙ୍କର ପରଲୋକ ଘଟିଥିଲା । ପରେ ଏହି ମାମଲାରୁ ତାଙ୍କୁ ନିବୃତ୍ତ କରାଯାଇ କେବଳ ଏଏସ୍ଆଇ ଅଭିମନ୍ୟୁ ସାହୁଙ୍କ ନାମରେ ମାମଲା ଚାଲିଥିଲା ।
ଅଭିମନ୍ୟୁ ସାହୁଙ୍କୁ ୨ ବର୍ଷ ପାଇଁ ସାଧାରଣ କାରାଦଣ୍ଡ ଏବଂ ୧୦,୦୦୦/- ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏହା ସହ ତାଙ୍କ ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ କୋର୍ଟ ।


