ଅପହରଣ ପରେ ୫ ବର୍ଷର ଶିଶୁକୁ ଗଳାକାଟି ହତ୍ୟା
ରାୟଗଡ଼ା: ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯାଇଛି । ଏହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ମୃତକ ହେଉଛନ୍ତି ଚାଟିକଣା ଷ୍ଟେସନ ସାହି ର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି ଗନ୍ତାୟତ ।
ଗତକାଲି ସନ୍ଧ୍ୟାରେ ନାବାଳକ ଋଷି ଗନ୍ତାୟତ କୁ କିଛି ଦୁର୍ବୁତ୍ତ ଅପହରଣ କରିନେଇଥିଲେ। କିଛି ସମୟ ପରେ ଋଷି ର ମାମୁଁ ଙ୍କ ମୋବାଇଲ କୁ ଏକ ଅଜଣା ନମ୍ବର ରୁ ମେସେଜ ଆସିଥିଲା । ସେହି ମେସେଜ ରେ ନାବାଳକ ରୁଷି କୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୪ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଏ ସଂକ୍ରାନ୍ତରେ ପୁଲିସ୍ କିମ୍ବା କୌଣସି ବାହାର ଲୋକ କୁ ଜଣାଇଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା। ଋଷିର ମାମୁଁ କୁ ଏହି ମେସେଜ ଆସିବା ପରେ ଏ ସଂକ୍ରାନ୍ତରେ ଋଷିର ପିତା କୁ ଜଣାଇଥିଲେ । ଏହା ପରେ ପରିବାର ଲୋକ ଋଷି କୁ ବହୁ ଖୋଜାଖୋଜି କରିବା ପରେ କିଛି ଘଣ୍ଟା ପରେ ତାଙ୍କ ପୁରୁଣା ଘର ପଛ ପଟୁ ଋଷି ର ମୃତଦେହ ଉଦ୍ଧାର ହୋଇଥିଲା। କେହି ତାଙ୍କୁ ପ୍ରଥମେ ଗଳା କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତା ରେ ପୁରାଇ ଫୋପାଡି ଦେଇଥିବା ଜଣାପଡିଛି । ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । କେହି ସମ୍ପର୍କୀୟ ଏହି ଘଟଣାରେ ଲିପ୍ତ ଥିବା ସନ୍ଦେହ କରାଯାଉଛି ।



