ସ୍କୁଲ ଛାତ୍ରୀ ଗଣ ଦୁଷ୍କର୍ମ ଘଟଣାରେ ୫ ଗିରଫ
ଭୁବନେଶ୍ବର: ରାଜକନିକା ଲଜ୍ଜା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଏକ ଇଂଲିଶ ମିଡିୟମ ସ୍କୁଲରେ ଘଟିଥିବା ଲଜ୍ଜାକର ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦୁଷ୍କର୍ମ ପୀଡ଼ିତାଙ୍କ ବୟାନର ଅଡିଓ ଭିଡିଓ ରେକର୍ଡ କରାଯାଇଛି । ଅଟକ ରଖି ପଚରାଉଚରା ପରେ ଦୁଷ୍କର୍ମ କରିଥିବା ୩ ଶିକ୍ଷକ, ଜଣେ ପିଅନ ଓ ଦୁଷ୍କର୍ମୀଙ୍କୁ ସହଯୋଗ କରିଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡ଼ା ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଏକାଧିକ ସଂଗୀନ ଦଫା । ଜିଲ୍ଲା ପୋଲିସର ଏକ ଟିମ୍ ଗ୍ରାଉଣ୍ଡ ଜିରୋରେ ଛାନବିନ କରିଛି । ମାମଲା ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ରେଡଫ୍ଲାଗ ଶ୍ରେଣୀଭୁକ୍ତ କରିଛି କ୍ରାଇମବ୍ରାଞ୍ଚ ।
ଅନ୍ୟପଟେ ଏହା ଏକ କପୋଳକଳ୍ପିତ ମିଛ ଅଭିଯୋଗ ହୋଇଥିବା କହି ରାଜକନିକା ଥାନା ଆଗରେ ଦୀର୍ଘ ସମୟ ଧରି ଶିକ୍ଷକ ମାନଙ୍କୁ ନେବା ପାଇଁ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏପଟେ ମହିଳା ବିରୋଧୀ ଅପରାଧ (CAW) ଶାଖା ଏହି ମାମଲାର ତଦନ୍ତ ତଦାରଖ କରୁଛି । ତଦନ୍ତ ଶୀଘ୍ର ସମାପ୍ତ କରିବା ପାଇଁ ତଦନ୍ତକୁ ତ୍ୱରାନ୍ୱିତ କରାଯାଉଛି ପଟ୍ଟାମୁଣ୍ଡାଇର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କହିଛନ୍ତି । ତେବେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେଡି ତୁରନ୍ତ ନ୍ୟାୟ ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ ଦାବି କରିଛି ।



