ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

 ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
Samaya Live News Picture
Published On

ରାଉରକେଲା : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ । ରାଉରକେଲା ପୋଲିସ ନିକଟରେ ମଙ୍ଗୋଡି ହୁନଙ୍ଗାର ଆତ୍ମସମର୍ପଣ । ତାଙ୍କ ଘର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗର ଥାନା ଅନ୍ତର୍ଗତ ହୋଲୋମୁଲି ଗ୍ରାମରେ । ୨ ବର୍ଷ ଧରି ସେ ମାଓ ସଂଗଠନର ଏଲ୍.ଜି.ଏସ୍.ଏମ୍ ରେ   ଜଣେ ସକ୍ରିୟ ସଦସ୍ୟା ଥିଲେ । ମଙ୍ଗୋଡି ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ । ବିଶେଷ କରି ବାଙ୍କୋ ପଥର ଖଣି ବିସ୍ଫୋରଣ ଏବଂ ରେଳପଥ ଆଇଇଡି ବିସ୍ଫୋରଣ ଭଳି ଘଟଣାରେ ତାଙ୍କର ସଂପୃକ୍ତି ଥିଲା ।

ସରକାରଙ୍କ ନିୟମ ବିଧି ବ୍ୟବସ୍ଥା ଅନୁସାରେ  ତାଙ୍କୁ ୨,୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ସହ ପୁନର୍ବାସ ଯୋଜନାରେ ସୁବିଧା ପ୍ରଦାନ କରାଯିବ ବୋଲି ରାଉରକେଲା ଏସ୍‌ପିଙ୍କ ସହ ପଶ୍ଚିମାଞ୍ଚଳ DIG କହିଛନ୍ତି ।

ସେପଟେ ,ଓଡ଼ିଶାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ପୋଲିସ। ମାଓବାଦୀଙ୍କ ପାଇଁ ସମୟ ସରିଆସୁଥିବା ବେଳେ ସେମାନଙ୍କୁ ଶେଷ ଚେତାବନୀ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ। ଡେଡ୍‌ଲାଇନ୍ ଶେଷ ହେବାକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ, ଏହି ସମୟ ମଧ୍ୟରେ ଯଦି ମାଓବାଦୀମାନେ ଆତ୍ମସମର୍ପଣ ନକରନ୍ତି, ତେବେ ସେମାନଙ୍କୁ ସୁରକ୍ଷାକର୍ମୀଙ୍କ କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି। ଡିଜିପିଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରୁ ୨୩ ଜଣ ମାଓବାଦୀ ଛତିଶଗଡ଼ ଯାଇ ଆତ୍ମସମର୍ପଣ କରିଛନ୍ତି। କମ୍ବିଂ ଅପରେସନ ସମୟରେ ୨୭ ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି। ବିଶେଷ କରି ୨୦୨୫ ଜାନୁଆରୀ ୨୫ରେ ନୂଆପଡ଼ା-ଗରିଆବନ୍ଧ ସୀମାନ୍ତରେ ହୋଇଥିବା ଅପରେସନରେ ୧୭ ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିଲା। ଏହି ସଫଳତା ପରେ ଓଡ଼ିଶାରେ ଏବେ ମାଓବାଦୀଙ୍କ ସଂଖ୍ୟା ଏକକ ଅଙ୍କ କୁ ଖସି ଆସିଛି।

Tags: