ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାପା-ପୁଅ ଅଟକ
ପଟ୍ଟାମୁଣ୍ଡାଇ : ରାଜନଗର ବଡ଼କୋହ୍ଲା ଗାଁ' କେନାଲ ରୁ ୭ ବର୍ଷର ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା । ଦୁଇ ଜଣଙ୍କୁ ଅଟକ ରଖିଛି ରାଜନଗର ପୋଲିସ । ଗତକାଲି ବିଳମ୍ବିତ ରାତିରେ ବେଣୁ ଚରଣ ଦାସ ଓ ତାଙ୍କ ପୁଅ ପ୍ରଶାନ୍ତ ଦାସକୁ ପୋଲିସ ଉଠାଇ ଆଣିଛି । ଘଟଣାର ସମ୍ପୃକ୍ତି ନେଇ ସନ୍ଧାନୀ କୁକୁର ସହାୟତରେ ଉଭୟ ବାପା-ପୁଅଙ୍କୁ ଘରୁ ଉଠାଇ ଆଣି ଜେରା ଚାଲିଛି । ମୃତ ନାବାଳିକାଙ୍କ ଅଜା କଳ୍ପତରୁ ନାୟକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଗତକାଲି କେନ୍ଦ୍ରାପଡ଼ା ଏସପି, ସାଇଣ୍ଟିଫିକ ଓ ଡଗସ୍କ୍ୱାର୍ଡ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ।
ଘଟନାନୁସାରେ , ପ୍ରାୟ ଏକ ବର୍ଷ ହେବ ମାଳିପୁର ଗାଁର ମାନଗୋବିନ୍ଦ ସେନାପତିଙ୍କ ଝିଅ ମୃତ ଶୁଭଲକ୍ଷ୍ମୀ ତାଙ୍କ ମା'ଙ୍କ ସହିତ ଅଜାଙ୍କ ଘରେ ରହିଆସୁଥିଲେ । ତେବେ ଗତ ଏପ୍ରିଲ ୨ ତାରିଖ ଦିନ ୧୦ଟା ବେଳେ ସେ ଗାଁରେ ଚାଲୁଥିବା ସଂକୀର୍ତ୍ତନ କୁ ଯାଇ ଆଉ ସେଠାରୁ ଫେରି ନଥିଲେ । ବହୁତ ଖୋଜାଖୋଜି ପରେ ଝିଅ ନ ମିଳିବାରୁ ଅଜା କଳ୍ପତରୁ ନାୟକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ ସମୟରେ ସନ୍ଧାନୀ କୁକୁର ଶୁଭଲକ୍ଷ୍ମୀଙ୍କ ମାମୁଘର ଭିତରେ ଥିବା ଦୁଇଟି କୋଠରିକୁ ଯାଇଥିଲା । ଏହା ପରେ ଶୁଭଲକ୍ଷ୍ମୀଙ୍କୁ ହତ୍ୟା ଧମକ ଦେଇ ଆସୁଥିବା ଅଭିଯୁକ୍ତ ପଡ଼ୋଶୀ ବେଣୁ ଦାସଙ୍କ ଘରକୁ ପଶିଥିଲା । ବେଣୁଙ୍କ ଘର, ରୋଷେଇ ଘରକୁ ଯିବା ପରେ ଗାଁ ସ୍କୁଲ୍ ନିକଟକୁ ଯାଇ ପଛପଟ କେନାଲ୍ରେ ଶୋଇ ରହିଥିଲା । ଏହାପରେ ଗତକାଲି କେନାଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ମିଳିଥିଲା । ହତ୍ୟା ସନ୍ଦେହରେ ଅଭିଯୁକ୍ତ ବେଣୁ ଓ ତାଙ୍କ ପୁଅକୁ ପୁଲିସ ଉଠାଇ ଆଣି ଅଟକ ରଖିଛି । ତେବେ ଗତ ୬ମାସ ତଳେ ବେଣୁ ଦାସଙ୍କ ନାତି ପୋଖରୀରେ ବୁଡି ପ୍ରାଣ ହରାଇଥିଲେ । ମାତ୍ର ଏହି ଘଟଣାରେ ବେଣୁ ଦାସ ଶୁଭଲକ୍ଷ୍ମୀଙ୍କୁ ଦାୟୀ କରି ୬ମାସ ମଧ୍ୟରେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ ବୋଲି ଶୁଭଲକ୍ଷ୍ମୀଙ୍କ ଅଜା ପୋଲିସକୁ ସୂଚନା ଦେଇଥିଲେ ।




