ପୁଅ କୁ ଜଙ୍ଗଲରେ ବସାଇ ଆତ୍ମହତ୍ୟା କଲେ ବାପା ମା'
ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳରେ ଘଟିଛି ଏକ ଛାତି ଥରାଇଦେଲା ଭଳି ଘଟଣା । କ୍ଷଣିକ କ୍ରୋଧ ମଣିଷକୁ କରି ପକାଏ ବିବେକ ଶୂନ୍ୟ,ହିତାହିତ ଜ୍ଞାନ ଭୁଲି କରିବସେ ଅକ୍ଷମଣୀୟ ଅପରାଧ । ସେହିଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳରେ । ୫ ବର୍ଷର ପୁଅକୁ ଜଙ୍ଗଲରେ ବସାଇ ବାପା ମା' ବିଷ ପି' ଆତ୍ମହତ୍ୟା କରିଛନ୍ତି । ସାରା ରାତି ପିଲାଟି ଏକୁଟିଆ ଶୀତ କାକରରେ ଜଙ୍ଗଲରେ କାଟିବା ପରେ ସକାଳେ ଘଟଣା ସମ୍ପର୍କରେ ଆସି ବାହାରେ କହିବାରୁ ଜଣା ପଡିଥିଲା । ଲୋକଙ୍କଠାରୁ ସୂଚନା ପାଇ ପୋଲିସ ପହଞ୍ଚି ଶିଶୁପୁତ୍ର ସହ ବାପା, ମା’ଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ ମାତ୍ର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ବ୍ଲକ ପଳସମା ପଞ୍ଚାୟତ ଜିୟନ୍ତୀପାଲି ଗ୍ରାମର ଦୁଷ୍ମନ୍ତ ମାଝୀ ଓ ତାଙ୍କ ସ୍ତ୍ରୀ ରିଙ୍କି ମାଝୀ । ତେବେ ପିଲାଟିକୁ ମଧ୍ୟ ବିଷ ପିଆଇଥିବା ସନ୍ଦେହ କରି ଚିକିତ୍ସା ପାଇଁ କଟକ ଶିଶୁଭବନକୁ ପଠାଇଛି ପୋଲିସ ।
ଘଟନାନୁସାରେ,ଗତ ବୁଧବାର ଦିନ ଦୁଷ୍ମନ୍ତ ଓ ରିଙ୍କି ଏକ ଭୋଜିରେ ଯୋଗ ଦେବା ପାଇଁ ଶ୍ୱଶୁର ଘର ଝରାବେରେନିକୁ ଯାଇଥିଲେ । ସେଠାରୁ ଶନିବାର ରାତିରେ ଫେରିବା ବାଟରେ ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ଝଗଡା ହୋଇଥିଲା । ତେବେ ଝଗଡା ଭୟଙ୍କର ହେବାରୁ ରିଆମାଳ ନିକଟ ଦଲକ ଛକ ରାସ୍ତାକଡ଼ରେ ମଟରସାଇକେଲ ରଖି ଜଙ୍ଗଲ ଭିତରକୁ ଯାଇ ସ୍ବାମୀ ସ୍ତ୍ରୀ କୀଟନାଶକ ପି' ଦେଇଥିଲେ । ଏହି ସମୟରେ ପିଲାଟି ସାରା ରାତି ଜଙ୍ଗଲ ଭିତରେ ଗୁରୁତର ଅବସ୍ଥାରେ ପଡିଥିବା ବାପା ମା'ଙ୍କୁ ଜଗି ବସିଥିଲା । ସକାଳେ ପିଲାଟି ଆସି ରାସ୍ତାରେ ଏକୁଟିଆ ଥଣ୍ଡାରେ ଛିଡା ହୋଇ ଥିବା ବେଳେ ଜଣେ ଟ୍ରକ ଡ୍ରାଇଭର ଘଟଣା ସମ୍ପର୍କ ରେ ଜାଣିବାକୁ ପାଇବା ପରେ ଦଳକ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଗ୍ରାମବାସୀ ରିଆମାଳ ଫାଣ୍ଡିକୁ ସୂଚନା ଦେଇଥିଲେ । ଏହି ଦାରୁଣ ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସ୍ୱାମୀ-ସ୍ତ୍ରୀଙ୍କର ଏକାଠି ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।



