ନାବାଳିକା ଦୁଷ୍କର୍ମ ଘଟଣାରେ ଫାଣ୍ଡି ଅଧିକାରୀ ନିଲମ୍ବିତ
ବାଲେଶ୍ୱର : ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନାମ୍ପ ଫାଣ୍ଡି ଅଧିକାରୀ ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର । ନାମ୍ପ ଫାଣ୍ଡି ଅଧିକାରୀ କରନ୍ ମାର୍ଣ୍ଡିଙ୍କୁ ନିଲମ୍ବିତ କରି ବାଲେଶ୍ୱର ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସହିତ ଜଳେଶ୍ୱର ଥାନା ଆଇଆଇସି ଅଶୋକ ବାରିକଙ୍କୁ ମଧ୍ୟ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନାକୁ ଗିରଫ କରାଯାଇଛି ।
ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ୧୬ ତାରିଖରୁ ଜଣେ ୧୪ ବର୍ଷର ନାବାଳିକା ନିଖୋଜ ଥିଲେ । ନାବାଳିକାଙ୍କ ପରିବାର ଲୋକେ ଫାଣ୍ଡି ଓ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତୁରନ୍ତ କୌଣସି ପଦକ୍ଷେପ ନେଇନଥିଲା । ନିଖୋଜର ପ୍ରାୟ ୫ ଦିନ ପରେ ଜଳେଶ୍ୱର ଥାନା ଅନ୍ତର୍ଗତ ବର୍ତ୍ତନା ଜଙ୍ଗଲ ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଓ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିବା ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।ଏହାକୁ ନେଇ ଜଳେଶ୍ୱର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା କରିଥିଲେ । ଏହାପରେ ଅଭିଯୁକ୍ତଙ୍କୁ ଧରି ଗ୍ରାମବାସୀ ଥାନାରେ ଜିମା ଦେଇଥିଲେ ।
ଅନ୍ୟପଟେ, ନାମ୍ପ ଫାଣ୍ଡି ଅଧିକାରୀ ତାଙ୍କୁ ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି ।




