ନକଲି ଡାକ୍ତର ଗିରଫ
ଭୁବନେଶ୍ୱର : ରାଜଧାନୀରୁ ଗିରଫ ହୋଇଛି ଜଣେ ନକଲି ଡାକ୍ତର । ବିବାହର ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ଠାରୁ ୧.୩୦ ଲକ୍ଷ ଠକେଇ ଅଭିଯୋଗରେ ସରୋଜ ମିଶ୍ର ଓରଫ ଭବାନୀ ସିଦ୍ଧାର୍ଥ ଶଙ୍କରକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ସଦର ଥାନା ଅଞ୍ଚଳର ଚିନ୍ମୟ କୁମାର ସାହୁ ଓରଫ ଜଗଦେବ ସାହୁ (୩୦) । କୋର୍ଟଚାଲାଣ ପରେ ଅଭିଯୁକ୍ତ ଚିନ୍ମୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଅଭିଯୋଗ ଅନୁସାରେ,ନକଲି ଡାକ୍ତର ସରୋଜ ମିଶ୍ର ନିଜକୁ ପୁଣେରେ ଜଣେ ଡାକ୍ତର ବୋଲି ଦର୍ଶାଇ ମାଟ୍ରିମୋନି ସାଇଟରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲର ଜଣେ ମେଡିକାଲ ଅଫିସରଙ୍କ ସମ୍ପର୍କରେ ଆସିଥିଲେ । ମେଡିକାଲ ଅଫିସର ଜଣକ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଅଞ୍ଚଳରେ ଭଡାଘର ନେଇ ରହୁଛନ୍ତି । କିଛିଦିନ ପରେ ସରୋଜ ବିବାହ ପ୍ରତିଶୃତି ଦେଇ ଉକ୍ତ ଯୁବତୀଙ୍କ ଘରକୁ ଯା'ଆସ କରୁଥିଲେ I ତେବେ ସମ୍ପର୍କ ନିବିଡ଼ ହେବା ପରେ ଗତ ଡିସେମ୍ବର ମାସରେ ସରୋଜ ତାଙ୍କ ସାଙ୍ଗର ମା'ଙ୍କ ଅନ୍ତିମ ସଂସ୍କାର ପାଇଁ ଉକ୍ତ ଯୁବତୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଧାର ମାଗିଥିଲେ । ଏହାପରେ ସେ ଯୁବତୀଙ୍କ ଠାରୁ ୩ଟି କିସ୍ତିରେ ଫୋନ ପେ' ମାଧ୍ୟମରେ ୧.୩୦ ହଜାର ଟଙ୍କା ନେଇଥିଲେ । ଜାନୁଆରୀ ୬ ରେ ଯୁବତୀ ଜଣଙ୍କ ଚିନ୍ମୟକୁ ଟଙ୍କା ଫେରାଇବା ପାଇଁ କହିଥିଲେ । ପରେ ଚିନ୍ମୟ ଟଙ୍କା ଦେବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ । ଏପରିକି ଗାଳିଗୁଲଜ ଦେବା ସହିତ ଜୀବନରୁ ମାରିଦେବାକୁ ଯୁବତୀ ଙ୍କୁ ଧମକ ମଧ୍ୟ ଦେଇଥିଲେ I ଠକାମିର ଶିକାର ହୋଇଥିବା ଜାଣି ଯୁବତୀ ଜଣଙ୍କ ଫେବୃଆରୀ ୫ ତାରିଖରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ମଞ୍ଚେଶ୍ୱର ଥାନା ରେ ଅଭିଯୋଗ ହେବା ପରେ ତଦନ୍ତ କରି ନକଲି ଡାକ୍ତରକୁ ଗିରଫ କରିଛି ପୋଲିସ । ତା'ନିକଟରୁ ଗୋଟିଏ ମୋବାଇଲ ଓ ୬,୭୦୦ ଟଙ୍କା ଜବତ କରାଯାଇଛି ।



