ଟେଷ୍ଟ ଡ୍ରାଇଭ ନାଁ ରେ ଦାମୀ କାର ଲୁଟ ଉଦ୍ୟମ ବିଫଳ
ଭୁବନେଶ୍ୱର : ଲୁଟେରାଙ୍କ ନୂଆ ଫଣ୍ଡା । ଅଭିନବ ଉପାୟରେ ଲୁଟିନେଲେ ଦାମୀ 'ଡିଫେଣ୍ଡର' କାର । ଟେଷ୍ଟ ଡ୍ରାଇଭ୍ ଆଳରେ ଡିଫେଣ୍ଡର ଧରି ଛୁ ମାରିଥିଲେ ଲୁଟେରା । ଲୁଟ ଅଭିଯୋଗ ନେଇ ପୋଲିସର ତନାଘନା ଜୋର ଧରିବା ପରେ ଖୋର୍ଦ୍ଧା ଗୋଡିପଡା ଟୋଲ ଗେଟ୍ ନିକଟରେ ଗାଡି ଛାଡ଼ିଦେଇ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ । ସମସ୍ତ ଅଭିଯୁକ୍ତ ବିହାରର ହୋଇଥିବା ସୂଚନା ମିଳିଛି ।
ସୂଚନାନୁସାରେ, ବୁଧବାର ଦିନ ଅଭିଯୁକ୍ତ ମାନେ ଭୁବନେଶ୍ୱର ଉପକଣ୍ଠ ଫୁଲ-ନଖରା ଠାରେ ଥିବା ଏକ କାର ଶୋ’ରୁମ୍ କୁ ଆସିଥିଲେ , ଏହି ସମୟରେ ସେମାନେ ବିଳାସପୂର୍ଣ୍ଣ ଲ୍ୟାଣ୍ଡ ରୋଭର ଡିଫେଣ୍ଡର SUV (୧.୫ ରୁ ୫ କୋଟି ) ମୂଲ୍ୟର ଗାଡି କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ କର୍ମଚାରୀମାନଙ୍କୁ ଟେଷ୍ଟ ଡ୍ରାଇଭ୍ ପାଇଁ କହିଥିଲେ । ଯାହାପରେ ଶୋ ରୁମ୍ ମ୍ୟାନେଜର ଏବଂ ତାଙ୍କ ଜଣେ ସେଲ୍ସ ଗାର୍ଲ ଦେଢକୋଟିର ଡିଫେଣ୍ଡର କାର୍ ନେଇ ବାହାରିଥିଲେ । ଭୁବନେଶ୍ୱର ଉପକଣ୍ଠ ଭରତପୁର-ଚନ୍ଦକା ରାସ୍ତାରେ ଥିବା ହୋଟେଲକୁ ଆସିଥିଲେ ୨ ଅଭିଯୁକ୍ତ । ଏହି ସମୟରେ ହୋଟେଲରେ ଅପେକ୍ଷାରତ ୫ ଜଣ ଲୁଟେରା ମ୍ୟାନେଜରକୁ ନିର୍ଘାତ ମାଡ଼ ମାରିବା ସହ ସେଲ୍ସ ଗାର୍ଲଙ୍କୁ ଅସଦାଚରଣ କରିଥିଲେ । ଏହାପରେ କାର୍ ନେଇ ଫେରାର ମାରିଥିଲେ । ତେବେ କାର୍ ନେବା ସମୟରେ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅନଲାଇନ ଜରିଆରେ ଦେଢଲକ୍ଷ ଟଙ୍କା ଲୁଟି ନେଇଥିଲେ ।
ଲୁଟ୍ ସଂପର୍କ ରେ ମ୍ୟାନେଜର ଭରତପୁର ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଏପିରିକି ସାଇଣ୍ଟିଫିକ୍ ଟିମ୍ ର ମଧ୍ୟ ସହଯୋଗ ଲୋଢିଥିଲା ପୋଲିସ । ଉଭୟ ମିଳିତ ଭାବେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ତେବେ ଗାଡିର ଆଣ୍ଟି ଥେପ୍ଟ ସିଷ୍ଟମ ଅନ ରହିଥିବାରୁ ଅନଲାଇନରେ ଗାଡିର ଷ୍ଟାର୍ଟ କୁ ବନ୍ଦ କରାଯାଇଥିଲା । ଇଞ୍ଜିନ ବନ୍ଦ ହୋଇଯିବାରୁ ଗାଡି ଆଉ ଷ୍ଟାର୍ଟ ହେଇପାରିନଥିଲା । ତେଣୁ ଲୁଟେରାମାନେ କାରକୁ ଖୋର୍ଦ୍ଧା ଗୋଡିପଡା ଟୋଲ ଗେଟ୍ ରାସ୍ତାରେ ଛାଡ଼ି ଚମ୍ପଟ ମାରିଥିଲେ । ଗାଡିର ଜିପିଏସ ଲୋକେସନ ମିଳିବାରୁ ଏହାକୁ ଟ୍ରାକ କରି ଗାଡିକୁ ଠାବ କରିଥିଲା ଖଲ୍ଲିକୋଟ ପୋଲିସ । ସେହିପରି ଭୁବନେଶ୍ୱର ଉପକଣ୍ଠ ହୋଟେଲରୁ ମଧ୍ୟ ଲୁଟେରାଙ୍କ କଳା ରଙ୍ଗର କାର୍ ଜବତ ହୋଇଛି ।



