ସୁପାରୀ ଦେଇ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ
ବଲାଙ୍ଗୀର : ଯେବେ ଭାଇ ସାଜେ ବୈରୀ । ଭୁଲି ଯାଏ ରକ୍ତ ସମ୍ପର୍କ । ନିଜ ସ୍ୱାର୍ଥ ହାସଲ ପାଇଁ ସାନ ବହିକୁ ବି ହତ୍ୟା କରିବାକୁ ପଛାଏ ନାହିଁ । ସେହି ଭଳି ଏକ ଦୁଃଖ ଦାୟକ ଘଟଣା ବଲାଙ୍ଗୀର ତୁଷାର ଅଞ୍ଚଳରେ ଘଟିଛି । ଘଟଣା ଜଣାପଡିବା ପରେ ସ୍ତବ୍ଧ ହୋଇଯାଇଛନ୍ତି ପରିବାର ସହିତ ସ୍ଥାନୀୟ ଅଞ୍ଚଳବାସୀ । ସାନଭାଇ ର ଢାଲ ସାଜିବା ପରିବର୍ତ୍ତେ ଭାଇକୁ ସୁପାରୀ ଦେଇ ହତ୍ୟା କରାଇଛି ବଡ଼ଭାଇ । ସିଏ ପୁଣି ସାନ ଭାଇର ବେଷ୍ଟଫ୍ରେଣ୍ଡକୁ ସୁପାରୀ ଦେଇ । ୫ ଲକ୍ଷ ଟଙ୍କାରେ ଡ଼ିଲ ଫାଇନାଲ ହୋଇଥିବା ବେଳେ ପ୍ରଥମେ ୬୦ ହଜାର ଟଙ୍କା ଆଡ଼ଭାନ୍ସ ଦେଇଥିଲା ବଡ଼ଭାଇ । ସାଙ୍ଗ ଆଉଜଣେ ସାଙ୍ଗ ବିଶ୍ୱାସରେ ବିଷ ଦେଇ ମାତ୍ର ଟଙ୍କା କେଇଟା ପାଇଁ ଘଟାଇଛି ଏହି ନାରକୀୟ କାଣ୍ଡ । ମାତ୍ର କିଛି ଟଙ୍କା ପାଇଁ ସାଙ୍ଗକୁ ବ୍ରିଜ ଉପରୁ ଠେଲି ହତ୍ୟା କରିଛି ସାଙ୍ଗ । ଆଉ ଯେଉଁ ବଡ଼ ଭାଇ ନିଜେ ଅଭିଯୋଗ କରିଥିଲେ ସିଏ ନିଜେ ହତ୍ୟାକାରୀ ବୋଲି ଜଣାପଡିଲା । ଗତ ୨ ତାରିଖରେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଦେଓଲଗୁଡି ଗାଁରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାରେ ବଡ଼ଭାଇ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ ।
ଘଟନାନୁସାରେ, ଗତ ୨ ତାରିଖ ବିଳମ୍ବିତ ରାତିରେ ତେଲ ନଦୀ ବ୍ରିଜ୍ ଉପରେ ଏକ ବାଇକ୍ ରଖାଯାଇଥିବା ଦେଖିବାକୁ ପାଇଥିଲା ତୁଷୁରା ପାଟ୍ରୋଲିଂ ପୋଲିସ । ସନ୍ଦେହ ହେବାରୁ ନଦୀ ଭିତରକୁ ଦେଖିବା ପରେ ନଦୀପଠାରେ ଜଣକ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ମୃତ ଯୁବକ ଜଣକ ଦେଓଲଗୁଡି ଗାଁର ନଟରାଜ ଥନାପତି ବୋଲି ଜଣାପଡିଥିଲା ।
ଆସନ୍ତା ଫେବୃଆରୀ ମାସ ୫ ତାରିଖରେ ନଟରାଜଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟା ଆରମ୍ଭ ହୋଇଯାଇଥିଲା । ବିବାହ ପାଇଁ ସବୁ ପ୍ରସ୍ତୁତି ମଧ୍ୟ ଚାଲିଥିଲା । ଏହି ସମୟରେ ନଟରାଜଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲା । ପରିବାର ଲୋକ ମଧ୍ୟ ହତ୍ୟା ଅଭିଯୋଗ ଆଣିଥିଲେ । ପୋଲିସ ତଦନ୍ତ କରି ଏହି ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ଉଠାଇଛି । ନଟରାଜଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିବା ଅଭିଯୋଗରେ ମାଷ୍ଟରମାଇଣ୍ଡ ବଡ଼ ଭାଇ ସମେତ ୮ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ସାନ ଭାଇକୁ ହତ୍ୟା ପାଇଁ ବଡ଼ ଭାଇ ମୃତକଙ୍କ ସାଙ୍ଗକୁ ୬୦ ହଜାର ଟଙ୍କା ସୁପାରୀ ଦେଇଥିଲେ । ଉଭୟ ବଡ଼ ଭାଇ ଏବଂ ସାନ ଭାଇ ମିଶି ଏକ ବଡ଼ ତେଜରାତି ଦୋକାନ ଚଳାଉଥିଲେ । ମାତ୍ର ଟଙ୍କା ଭାଗ ବଣ୍ଟାକୁ ନେଇ ମନୋମାଳିନ୍ୟ ହେବାରୁ ସାନ ଭାଇ ନିକଟରେ ଏକ ଛୋଟ ଦୋକାନ ଆରମ୍ଭ କରିଥିଲେ । ଏହାକୁ ନେଇ ବଡ଼ ଭାଇଙ୍କର ଇର୍ଷା ବଢିଯାଇଥିଲା । ଶେଷରେ ସବୁଦିନ ପାଇଁ ଭାଇକୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର ରଚି ଏହି ନାରକୀୟ କାଣ୍ଡ ଘଟାଇଥିଲା ବୋଲି ବଲାଙ୍ଗୀର ପୋଲିସ ପ୍ରେସ ମିଟ ଜରିଆରେ ସୂଚନା ଦେଇଛି I



