ଠକେଇ ଅଭିଯୋଗରେ ଇ-କମର୍ସ କମ୍ପାନୀକୁ ଜୋରିମାନା
ସମ୍ବଲପୁର : ଇ-କମର୍ସ କମ୍ପାନୀକୁ ଅର୍ଥଦଣ୍ଡ । ଲାପଟପ ବଦଳରେ ପାର୍ସଲ ଭିତରୁ ବାହାରିଲା ମାର୍ବଲ ଖଣ୍ଡ। ଏନେଇ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ଗ୍ରାହକ । ଏହି ମାମଲାରେ ଇ-କମର୍ସ କମ୍ପାନୀକୁ ଦଣ୍ଡିତ କରିବା ସହ ଜରିମାନା କରିଛନ୍ତି ଖାଉଟି ଅଦାଲତ । ତେବେ ଏହି ଠକେଇ ଘଟଣାଟି ୨୦୨୫ ଫେବୃଆରୀରେ ହୋଇଥିବା ସୂଚନା ମିଳିଛି । ଠକାମିର ଶିକାର ହୋଇଥିବା ଗ୍ରାହକ ହେଲେ ସମ୍ବଲପୁର ଝାଙ୍କରପାଲି ଅଞ୍ଚଳର ଡ. ଚଉବର୍ଗ ନାୟକ । ଗତବର୍ଷ ସେ ସମ୍ପୃକ୍ତ ଇ-କମର୍ସ ସଂସ୍ଥାରେ ଅଭିଯୋଗ କରିବା ପରେ ଥାନା ଓ ଶେଷରେ ସମ୍ବଲପୁର ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ ।
ଘଟନାନୁସାରେ,ମାମଲାର ବିବରଣୀ ଅନୁସାରେ, ୪୫ ବର୍ଷୀୟ ଡ. ଚଉବର୍ଗ ୨୦୨୫ ମସିହା ଫେବୃଆରୀ ୪ ତାରିଖରେ ଏକ ଇ-କମର୍ସ କମ୍ପାନୀରୁ ୬୦ ହଜାର ୭୯୯ ଟଙ୍କା ମୂଲ୍ୟର ଜଣାଶୁଣା ବ୍ରାଣ୍ଡର ଲ୍ୟାପ୍ଟପ୍ ଅର୍ଡର୍ କରିଥିଲେ । ପ୍ରଡକ୍ଟଟି ପ୍ରିପେଡ୍ ମୋଡ୍ରେ ଥିବାରୁ ଡେଲିଭରି ହେବା ପୂର୍ବରୁ ସେ ଏହାର ଅଗ୍ରୀମ ପେମେଣ୍ଟ କରିଥିଲେ । ୬ ତାରିଖରେ ଏକ ମୁଦା ପାର୍ସଲରେ ଅର୍ଡରଟି ତାଙ୍କ ଠିକଣାରେ ପହଞ୍ଚିଥିଲା । ମାତ୍ର ଏହାକୁ ଖୋଲିବା ପରେ ସେଥିରେ ଲ୍ୟାପଟପ ପରିବର୍ତ୍ତେ ଏକ ମାର୍ବଲ ଖଣ୍ଡ ଥିବା ଦେଖିବାକୁ ମିଳିଥିଲା । ଚଉବର୍ଗ ପ୍ରଥମେ ଉକ୍ତ ଇ-କମର୍ସ ସଂସ୍ଥାର ଅଫିସିଆଲ ୱେବସାଇଟରେ ଅଭିଯୋଗ ପଞ୍ଜିକରଣ କରିଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । ପରେ ସେ ଥାନାରେ ଓ ପରେ ସମ୍ବଲପୁର ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ମାମଲାର ତଦନ୍ତ କରି ଇ-କମର୍ସ ସଂସ୍ଥାକୁ ଜରିମାନା କରିଛନ୍ତି । ଲ୍ୟାପ୍ଟପ୍ ବାବଦକୁ ୬୦ ହଜାର ୭୯୯ ଟଙ୍କା, ମାମଲା ସମ୍ପର୍କିତ ଖର୍ଚ୍ଚ ବାବଦକୁ ୨୫ ହଜାର ଓ କ୍ଷତିପୂରଣ ବାବାଦକୁ ୫ ହଜାର ଜରିମାନା ନିର୍ଦ୍ଦେଶ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ ରାୟ ଶୁଣାଇଛନ୍ତି ।



