ଆତଙ୍କୀ ଲିଙ୍କ୍ ନେଇ ଓଡ଼ିଆ ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ : ଆତଙ୍କୀ ଲିଙ୍କ୍ରେ ଓଡ଼ିଆ ଯୁବକ ଗିରଫ । ଭୁବନେଶ୍ୱରରୁ ଉଠାଇ ନେଇଥିବା ଓଡ଼ିଆ ଯୁବକ ଶେଖ୍ ଇମ୍ରାନକୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ । ତେବେ ଆତଙ୍କୀ ଲିଙ୍କ ଅଭିଯୋଗରେ ଇମ୍ରାନ ସହ ସମୁଦାୟ ୪ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମହାରାଷ୍ଟ୍ରରୁ ୨ ଓ ବିହାରରୁ ଜଣକୁ ମଧ୍ୟ ଗିରଫ କରିଛି ଦିଲ୍ଲୀ ପୋଲିସ । ଫଳରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଏହି ୪ ମୌଳବାଦୀଙ୍କ ମଧ୍ୟରୁ ଶେଖ୍ ଇମ୍ରାନ ଜଣେ ବୋଲି ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହମ୍ମଦ ହମାଦ (୧୯), ଶେଖ ଇମ୍ରାନ (୨୨), ମହମ୍ମଦ ସୋହିଲ (୨୩) ଏବଂ ମୋସାଇବ ଅହମ୍ମଦ (୩୨) ।
ପୋଲିସ ଅନୁଯାୟୀ, ଏହି ସମସ୍ତ ଯୁବକ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ। ଗିରଫ ଯୁବକ ମାନେ ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକଙ୍କୁ ସକ୍ରିୟ କରାଉଥିଲେ । ଏମିତିକି ଆତଙ୍କୀ ଆକ୍ରମଣ ପାଇଁ IED ପ୍ରସ୍ତୁତ କରୁଥିଲେ ଏମାନେ । ଜିହାଦୀ କାର୍ଯ୍ୟ ପାଇଁ QR କୋଡ୍/ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ ମଧ୍ୟ କରୁଥିଲେ । ଜିହାଦୀ କାର୍ଯ୍ୟ ପାଇଁ ଯୁବକ ମାନଙ୍କୁ ତାଲିମ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ । ଗିରଫ ଯୁବକ ମାନେ ଖଲିଫା ପ୍ରତିଷ୍ଠାର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଏମାନେ ‘ଗଜୱା-ଏ-ହିନ୍ଦ’ରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଥିଲେ ।
ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣ ଏକ ରିମୋଟ-ନିୟନ୍ତ୍ରିତ IED (ବମ) ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଥିଲେ। ସେମାନେ ପୂର୍ବରୁ ବଲ ବିୟରିଂ, କଣ୍ଟା ଏବଂ ଖେଳଣା କାର ସମେତ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରିସାରିଥିଲେ।
ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଡିସେମ୍ବର ୨୦୨୫ରେ ଦିଲ୍ଲୀ ଆସିଥିଲେ ଏବଂ ଲାଲକିଲ୍ଲା ଏବଂ ଇଣ୍ଡିଆ ଗେଟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲେ। ସେ ଲୋକମାନଙ୍କୁ ଉସୁକାଇବା ପାଇଁ ସୋସିଆଲ ମିଡିଆରେ ଲାଲକିଲ୍ଲାର ଫଟୋ ସହିତ ଆପତ୍ତିଜନକ ପୋଷ୍ଟ ମଧ୍ୟ ଶେୟାର କରିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ କ୍ରାଉଡଫଣ୍ଡିଂ ସଂଗ୍ରହ କରୁଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (BNS) ୨୦୨୩ର ଧାରା ଅନୁଯାୟୀ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି ।
ସୂଚନାନୁସାରେ , ଗତ ଏପ୍ରିଲ ୧୦ ତାରିଖରେ ଭୁବନେଶ୍ୱର ଓଡ଼ିଆ ୟୁନିଟ୍-୬ ଅଞ୍ଚଳରୁ ଶେଖ୍ ଇମ୍ରାନକୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ବ୍ରାଞ୍ଚ । ଅଭିଯୁକ୍ତକୁ ଗିରଫ କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇ ଅଧିକ ତଦନ୍ତ ଚଳାଇଥିଲା ସ୍ବତନ୍ତ୍ର ଟିମ୍ । ଅଭିଯୁକ୍ତ ପାକିସ୍ତାନର ଆତଙ୍କୀ ସଙ୍ଗଠନ ସହ ଲିଙ୍କରେ ଥିବା ସନ୍ଦେହ କରାଯାଉଥିବା ବେଳେ ଅଧିକ ଖୋଳତାଡ ଜାରି ରହିଥିଲା ।



