ଅଖା ଭିତରୁ ଗଳିତ ମୃତଦେହ ଉଦ୍ଧାର, ଅପହୃତଙ୍କୁ ହତ୍ୟା ସନ୍ଦେହ

ଅଖା ଭିତରୁ ଗଳିତ ମୃତଦେହ ଉଦ୍ଧାର, ଅପହୃତଙ୍କୁ ହତ୍ୟା ସନ୍ଦେହ
Samaya Live News Picture
Published On

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳିରେ ଚାଞ୍ଚଲ୍ୟ । ବାରମାଣିଆ ଭେଡାରୁ ମିଳିଲା ଗଳିତ ମୃତଦେହ। ଅଖା ଭିତରେ ଥିବା ମୃତଦେହ ପାଖରେ ଏକ ନୀଳ ରଙ୍ଗର ଗଞ୍ଜି ,ଖଣ୍ଡ ବିଖଣ୍ଡିତ ୪ଟି ହାଡ଼, ଖପୁରି ଏବଂ କିଛି ଚୁଟି ପଡିଥିବା ଦେଖିବାକୁ ମିଳିଛି । ମୃତଦେହଟି ମହିଳା କିମ୍ବା ପୁରୁଷଙ୍କର ସ୍ପଷ୍ଟ ହୋଇନାହିଁ । ତେବେ ମୃତଦେହଟି ଗତ ୯ଦିନ ପୂର୍ବରୁ ଗାଆଁରୁ ଅପହୃତ ହୋଇଥିବା ଯୁବକ ଗୌରାଙ୍ଗ ସେଠୀଙ୍କର ହୋଇଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ସାରା ଗାଁ'ରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ତଦନ୍ତ ଆରମ୍ଭ କରିଛି । 

ସୂଚନାନୁଯାୟୀ, ଗାଡିର କାଚ ଭାଙ୍ଗିବା ଘଟଣାକୁ କେନ୍ଦ୍ରକରି ଆଳି ଥାନା ଅନ୍ତର୍ଗତ ବାଟିପଡ଼ା ପଞ୍ଚାୟତର ମହାଦେଈପାଟଣା ଗାଁ' ର ଅରୁଣ ସେଠିଙ୍କ ପୁଅ ଗୌରାଙ୍ଗ ସେଠି (୨୦ ବର୍ଷ)ଙ୍କ ସହ ଗାଁର କିଛି ପିଲାଙ୍କ ଗଣ୍ଡଗୋଳ ହୋଇଥିଲା । ଏହାପରେ ଗତ ଗୁରୁବାର ୬ ଜଣ ଯୁବକ ଗୌରାଙ୍ଗକୁ ଗାଧୁଆ ତୁଠରୁ ଉଠାଇ ନେଇ ପ୍ରଥମେ ସହିରା ବାଲିଘାଟ ଓ ପରେ ଆଦର୍ଶ ପୋଖରୀ ନିକଟରେ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ଠେଙ୍ଗାବାଡି, ଲୁହାଛଡ଼ରେ ନିସ୍ତୁକ ମାଡ ମାରି କେଉଁଆଡେ ଅପହରଣ କରି ନେଇ ଯାଇଥିଲେ । ଗୌରାଙ୍ଗଙ୍କ ଉପରେ ଏଭଳି ବର୍ବର ଆକ୍ରମଣର ଭିଡିଓ ଭାଇରାଲ ପରେ ଗୌରାଙ୍ଗଙ୍କ ବାପା ଅରୁଣ ସେଠି ୨୯ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ । ସପ୍ତାହ ବ୍ୟାପୀ ତଦନ୍ତ ପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରତାପ ମହାକୁଡ଼ଙ୍କ ସହ ଅନ୍ୟ ୬ଯୁବକଙ୍କୁ ଗିରଫ କରିଥିଲା ଆଳି ପୁଲିସ । ଘଟଣାକୁ ୯ଦିନ ବିତିଥିବାବେଳେ ଆଜି ପେତପଡ଼ା ପଞ୍ଚାୟତ ବାରମାଣିଆ ଭେଡାରୁ ଏକ ଗଳିତ ମୃତଦେହ ମିଳିଛି । ବର୍ତ୍ତମାନ ସୁଦ୍ଧା ମୃତଦେହଟି ଗୌରାଙ୍ଗ ସେଠୀଙ୍କର କି ନୁହେଁ ଏହା ସ୍ପଷ୍ଟ ହୋଇ ନଥିବାବେଳେ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳ ଲୋକାରଣ୍ୟ ହେବା ସହ ଉତ୍ତେଜନା ଦେଖାଦେଇଛି ।

Tags: