ନୀଳ ଡ୍ରମ ହତ୍ୟା ଘଟଣାରେ ପ୍ରେମୀ ଯୁଗଳଙ୍କୁ ଫାଶୀ ଦଣ୍ଡାଦେଶ

ନୀଳ ଡ୍ରମ ହତ୍ୟା ଘଟଣାରେ ପ୍ରେମୀ ଯୁଗଳଙ୍କୁ ଫାଶୀ ଦଣ୍ଡାଦେଶ
Samaya Live News Picture
Published On

ଉତ୍ତରପ୍ରଦେଶ : ଲୋମହର୍ଷଣକାରୀ ମିରଟ ନୀଳ ଡ୍ରମ ହତ୍ୟାକାଣ୍ଡ ଘଟଣା । ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବାବେଳେ ମାନ୍ୟବର କୋର୍ଟ ଶୁଣାଇଛନ୍ତି ବଡ଼ରାୟ । ନିଜସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ (ମୃତ୍ୟୁଦଣ୍ଡ) ଶୁଣାଇଛନ୍ତି । ମାର୍ଚ୍ଚ ୨୦୨୫ରେ ସୌରଭ ରାଜପୁତଙ୍କ ହତ୍ୟା ପରେ ତାଙ୍କ ମୃତଦେହକୁ ନୀଳ ପ୍ଲାଷ୍ଟିକ୍ ଡ୍ରମ୍‌ରେ ଭର୍ତ୍ତି କରି ପ୍ଳାଷ୍ଟର କରି ଦେଇଥିଲେ ପ୍ରେମୀ । ୧୨୬ ଟି ଶୁଣାଣି ଓ ୨୨ ସାକ୍ଷୀଙ୍କ ବୟାନ ପରେ ମେରଟ ଜିଲ୍ଲା ଅଦାଲତ ରାୟ ଶୁଣାଇଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ବୁଧବାର ଦଣ୍ଡବିଧାନ ଘୋଷଣା କରାଯାଇଛି । ଉଭୟଙ୍କୁ ଫାଶୀ ଦଣ୍ଡାଦେଶ ଦେବା ସହ ହତ୍ୟା (ଧାରା ୩୦୨) ପାଇଁ ୫୦,୦୦୦ ଟଙ୍କା ଏବଂ ପ୍ରମାଣ ନଷ୍ଟ କରିବା (ଧାରା ୨୩୮A) ପାଇଁ ୨୦,୦୦୦ ଟଙ୍କାର ଜରିମାନା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ, ଏହି ଲୋମହର୍ଷଣକାରୀ ଘଟଣାଟି ଘଟିଥିଲା ୨୦୨୫ ମସିହା ମାର୍ଚ୍ଚ ମାସରେ । ମୃତକ ସୌରଭ ରାଜପୁତ ଏବଂ ମୁସ୍କାନ ରସ୍ତୋଗୀ ୨୦୧୬ ମସିହାରେପ୍ରେମ ବିବାହ କରିଥିଲେ । ସେମାନଙ୍କର ଗୋଟିଏ କନ୍ୟା ସନ୍ତାନ ରହିଛି । ସୌରଭ  ପୂର୍ବରୁ ମର୍ଚାଣ୍ଟ ନେଭିରେ କାର୍ଯ୍ୟରତ ଥିଲେ ଏବଂ ବିଦେଶରୁ ନିଜ ଘରକୁ ଫେରିଥିଲେ । ତେବେ ସୌରଭ ବିଦେଶରେ ରହୁଥିବା ସମୟରେ ମୁସ୍କାନ ତାଙ୍କ ସ୍କୁଲ ବେଳର ବନ୍ଧୁ ତଥା ପଡ଼ୋଶୀ ସାହିଲ ଶୁକ୍ଲା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସୌରଭ ଘରକୁ ଫେରିବା ପରେ ଏହି ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ, ଯାହାକୁ ନେଇ ପାରିବାରିକ କଳହ ତୀବ୍ର ହୋଇଥିଲା । ନିଜ ରାସ୍ତାରୁ ସୌରଭଙ୍କୁ ହଟାଇବା ପାଇଁ ମୁସ୍କାନ ଏବଂ ସାହିଲ ମିଶି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ।

ମାର୍ଚ୍ଚ ୩ ତାରିଖ ରାତିରେ ସୌରଭଙ୍କୁ ପ୍ରଥମେ ନିଶା ଔଷଧ ଦିଆଯାଇ ଅଚେତ କରାଯାଇଥିଲା । ଏହା ପରେ ମୁସ୍କାନ ଏବଂ ସାହିଲ ତାଙ୍କ ଉପରକୁ ଏକାଧିକ ଥର ଛୁରି ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଏକ ବଡ଼ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ ଭିତରେ ଭର୍ତ୍ତି କରିଥିଲେ । ଦୁର୍ଗନ୍ଧ ଯେପରି ବାହାରକୁ ନ ବାହାରିବ, ସେଥିପାଇଁ ଡ୍ରମ ଭିତରେ ତରଳ ସିମେଣ୍ଟ ଓ ବାଲି ଢାଳି ତାହାକୁ ସମ୍ପୂର୍ଣ୍ଣ ସିଲ୍ କରି ଘରେ ରଖିଦେଇଥିଲେ ।

ଅପରାଧ ଘଟାଇବା ପରେ ମୁସ୍କାନ ନିଜ ଝିଅକୁ ଜେଜେମା’ଙ୍କ ଘରେ ଛାଡ଼ି ପ୍ରେମିକ ସାହିଲଙ୍କ ସହ ଶିମଲା ବୁଲିବାକୁ ପଳାଇଥିଲେ। ସୌରଭ ଜୀବିତ ଥିବା ଦେଖାଇବା ପାଇଁ ଅଭିଯୁକ୍ତମାନେ ତାଙ୍କ ମୋବାଇଲରୁ ପରିବାର ଲୋକଙ୍କୁ ମେସେଜ୍ ପଠାଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ମାର୍ଚ୍ଚ ୧୭ ତାରିଖରେ ସନ୍ଦେହ ଆଧାରରେ ପୋଲିସ ଯାଞ୍ଚ କରି ଘରୁ ଉକ୍ତ ନୀଳ ଡ୍ରମ୍ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲା । ଅଦାଲତରେ ଏହି ମାମଲାର ବିଚାର ପ୍ରାୟ ୧୯ ମାସ ଧରି ଚାଲିଥିଲା ।

୧୪ ଅକ୍ଟୋବର ୨୦୨୬ ଦିନ ମେରଠ ଜିଲ୍ଲା ଓ ଦୌରା ଅଦାଲତର ବିଚାରପତି ଅରବିନ୍ଦ କୁମାର ମିଶ୍ର ଏହି ଐତିହାସିକ ଦଣ୍ଡାଦେଶ ଘୋଷଣା କରିଛନ୍ତି। ମହାଭାରତର ଉଦାହରଣ ଦେଇ ବିଚାରପତି କହିଛନ୍ତି ଯେ, ଅପରାଧର ଗୁରୁତ୍ୱ ଅନୁସାରେ ଦୋଷୀକୁ ଦଣ୍ଡ ଦେବା ହିଁ ପ୍ରକୃତ 'ଧର୍ମ' । 

 

Tags: