୪୦ ପ୍ରତିଶତରେ ପହଞ୍ଚିଛି ଦଣ୍ଡବିଧାନ ହାର - ଆଇନମନ୍ତ୍ରୀ
ଭୁବନେଶ୍ବର : ବାଲିଅନ୍ତା ବର୍ବର କାଣ୍ଡକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେଉଁ ଘଟଣା ଘଟୁ ଦୋଷୀଙ୍କୁ କୋଠାର ଦଣ୍ଡ ଦିଆଯିବ । ପ୍ରଫେସନାଲ କ୍ରିମିନାଲ ହୁଅନ୍ତୁ କି ଅକେଜନାଲ କ୍ରିମିନାଲ କାହାକୁ ଛଡା ଯିବନି । ଦଣ୍ଡ ବିଧାନ ହାର ପୂର୍ବରୁ ୫ କି ୭ ପ୍ରତିଶତ ଥିଲା ତାହା ଏବେ ୪୦ପ୍ରତିଶତରେ ପହଂଚିଲାଣି । ଦଣ୍ଡବିଧାନ ହାର ବଢିଛି। ଦୈନିକ ରିପୋର୍ଟ ସମୀକ୍ଷା କରାଯିବ, ସେ ଆଡକୁ ବି ସରକାର ଯାଉଛନ୍ତି। କ୍ରିମିନାଲ ପ୍ରତି ଆଭିମୁଖ୍ୟ ଆହୁରି କଡା ରହିବ। ଯାହା କରିଛନ୍ତି କର୍ମର ଫଳ ପାଇବେ ଅପରାଧୀ। ଆଗକୁ ଯେମିତି ଏଭଳି ଘଟଣା ନଘଟିବ ସରକାର ତତ୍ପର ଅଛନ୍ତି ବୋଲି କହିଛନ୍ତି ପୃଥ୍ବିରାଜ ହରିଚନ୍ଦନ।
ସେହିପରି ,ବାଲିଅନ୍ତା ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ଆଇନକୁ ନିଜ ହାତକୁ ନେବା ଗ୍ରହଣଯୋଗ୍ୟ ନୁହେଁ ଏବଂ ସରକାର “ରାଜଧର୍ମ” ପାଳନ କରି କାର୍ଯ୍ୟ କରିବ।
ସାମ୍ବାଦିକମାନଙ୍କ ସହ କଥାହେବା ସମୟରେ ମନ୍ତ୍ରୀ କହିଥିଲେ, “ଆଇନକୁ ହାତକୁ ନେବା ଠିକ୍ ନୁହେଁ। ସରକାରରେ ଥିବା ଲୋକଙ୍କୁ ରାଜଧର୍ମ ପାଳନ କରିବାକୁ ପଡ଼ିବ। ଅପରାଧୀମାନେ ସମାଜରେ ମୁଣ୍ଡ ଉଠାଇ ଚାଲିବାକୁ ଦିଆଯିବ ନାହିଁ।”
ସେ କହିଛନ୍ତି ଯେ, ଅପରାଧ ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ଏଭଳି ଘଟଣା ପୁଣି ଥରେ ନ ଦୋହରାଇବାକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଅପରାଧୀମାନଙ୍କ ମନରେ ଆଇନର ଭୟ ରହିବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।
ସୂଚନାନୁସାରେ, ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଘଟଣାର ୩ଦିନ ମଧ୍ୟରେ ୧୧ଜଣଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇଛି କମିଶନରେଟ ପୋଲିସ । ଭାଇରଲ ଭିଡ଼ିଓ ଆଧାରରେ ସେମାନଙ୍କୁ ଚିହ୍ଟଟ କରାଯାଇଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।



