ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନଙ୍କୁ ସର୍ତ୍ତମୂଳକ ଜାମିନ
କଟକ : ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି । ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଗତ ଜୁନ୍ ୪ରେ ଚନ୍ଦ୍ରିକାଙ୍କ ମୃତଦେହ କାଠଯୋଡ଼ିରେ ଭାସୁଥିବାର ଦେଖିଥିଲେ ଲୋକେ । ଖବର ପାଇ ବାରଙ୍ଗ ଥାନା ପୋଲିସ ମୃତଦେହ ଉଦ୍ଧାର କରିଥିଲା । ଏହାପରେ ଚନ୍ଦ୍ରିକାଙ୍କ ପରିବାର ତରଫରୁ ବାରଙ୍ଗ ଥାନାରେ ଏତଲା ଦିଆଯାଇଥିଲା । ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ ମାମଲା ରୁଜୁ କରିବା ସହିତ ଜୁନ୍ ୧୩ରେ ଅଭିଯୁକ୍ତ ଭୀମସେନ ଟୁଡୁଙ୍କୁ ମୟୂରଭଞ୍ଜ ବିଶୋଇରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ପ୍ରଥମେ ବାରଙ୍ଗ ଥାନା ପୋଲିସ ବିଏନ୍ଏସ୍ର ଧାରା ୧୦୮, ୩(୫)ରେ ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ଧାରା ୬୯ ଭୀମସେନଙ୍କ ନାଁରେ ଯୋଡ଼ିଥିଲା ପୋଲିସ । ପୂର୍ବରୁ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ଭୀମସେନଙ୍କ ଜାମିନ ଆବେଦନ ନିମ୍ନ ଅଦାଲତରେ ଖାରଜ ହୋଇଥିଲା । ଘଟଣାର ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଜାମିନରେ ଛାଡ଼ ପାଇବା ପରେ ଅଭିଯୁକ୍ତ ତଦନ୍ତରେ ଅସହଯୋଗ କରିବାର ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ବିଚାରକୁ ନେଇ କଟକ ଦ୍ୱିତୀୟ ଅତିରିକ୍ତ ଦୌରା ଜଜ୍ ଭୀମସେନଙ୍କ ଜାମିନ ଆବଦେନକୁ ଖାରଜ କରିଥିଲେ।




