ତ୍ରୀକୋଣୀୟ ପ୍ରେମରୁ ଚନ୍ଦ୍ରଶେଖରପୁର ହତ୍ୟାକାଣ୍ଡ

ତ୍ରୀକୋଣୀୟ ପ୍ରେମରୁ ଚନ୍ଦ୍ରଶେଖରପୁର ହତ୍ୟାକାଣ୍ଡ
Samaya Live News Picture
Published On

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ହିଟ ଆଣ୍ଡ ରନ ମାମଲାରେ ନୂଆ ଟ୍ଵିଷ୍ଟ । ଘଟଣା ଉପରୁ ପରଦା ହଟାଇଛି ପୋଲିସ । ପ୍ରେମ ପାଇଁ ବନ୍ଧୁ ସାଜିଲା ବୈରୀ । ତ୍ରୀକୋଣୀୟ ପ୍ରେମରୁ ଏହି ଜଘନ୍ୟ କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ମୃତକ ହେଲେ ଖୋର୍ଦ୍ଧା କାଇପଦର ଅଂଚଳର ବରେନ୍ୟ ରାଉତରାୟ। ସେ ଇଂଜିନିୟରିଂ ୩ୟ ସେମିଷ୍ଟାରରେ ପଢୁଥିଲେ ଏବଂ ହତ୍ୟାକାରୀ ହେଉଛି ସାଙ୍ଗ ସୁରଜ ବିଶ୍ୱକର୍ମା । ଘଟଣାରେ ତଦନ୍ତ କରି ଚନ୍ଦ୍ରଶେଖରପୁର ପୋଲିସ ଥାର ଗାଡି ସହ ସୁରଜ ଏବଂ ତା'ର ୫ଜଣ ସହଯୋଗୀଙ୍କୁ ଅଟକ ରଖାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫା ଲାଗିଛି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

ଘଟନାନୁସାରେ, ମୃତ ବରେନ୍ୟ ରାଉତରାୟଙ୍କ ପ୍ରେମିକା ସହ ସୂରଜର ପୂର୍ବରୁ ସମ୍ପର୍କ ରହିଥିଲା। ତେବେ ବରଣ୍ୟ ସହ ଯୁବତୀଙ୍କ ସମ୍ପର୍କ ଯୋଡ଼ିହେବା କାରଣରୁ ବରେନ୍ୟ ଏବଂ ସୁରଜ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଗତକାଲି ରାତିରେ ଚନ୍ଦ୍ରଶେଖରପୁର ନିକଟରେ ଏକ ଲସି ଦୋକାନରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ସୁରଜ ଗୋଷ୍ଠୀ ପୂର୍ବରୁ କ୍ରିକେଟ୍ ଷ୍ଟାମ୍ପ୍ ନେଇକି ଯାଇଥିଲେ । କିନ୍ତୁ ଜନଗହଳି ପୂର୍ଣ୍ଣ ଥିବାରୁ ବରେନ୍ୟଙ୍କ ଉପରେ ଆକ୍ରମଣ ନ କରି ସେମାନେ ଚାଲିଯାଇଥିଲେ। ଏହା ପରେ ରାତି ଅଧରେ ବରେନ୍ୟଙ୍କୁ ପିଛା କରିଥିଲେ ସୁରଜ ଗୋଷ୍ଠୀ । ଏହି ସମୟରେ ବରେନ୍ୟ ୨ଜଣ ସାଙ୍ଗଙ୍କ ସହ ବାଇକରେ ହାଉସିଂବୋର୍ଡ ଅଞ୍ଚଳରେ ଥିବା ନିଜ ଘରକୁ ଆସୁଥିବାବେଳେ ନୀଳାଦ୍ରି ବିହାର ଏଟିଏମ୍ ଛକ ନିକଟରେ ସେମାନଙ୍କୁ ଥାର ଗାଡ଼ିରେ ପିଛା କରି ବାଇକକୁ ଧକ୍କା ଦେଇଥିଲେ ସୁରଜ । ବରେନ୍ୟ ସହ ଅନ୍ୟ ୨ଜଣ ତଳେ ପଡିଯିବା ପରେ ସୁରଜ ଏବଂ ଅନ୍ୟ ୫ଜଣ ମିଶି ବରେନ୍ୟ ଉପରେ ଅତି ନୃଶଂସ ଭାବରେ ଗାଡି ଚଢାଇ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ । ଆଚାର୍ଯ୍ୟ ହରିହର କଲେଜ ଛକରେ ଘଟିଥିଲା ଏହି ଦୁର୍ଘଟଣା । ଘଟଣାସ୍ଥଳରେ ବରେନ୍ୟଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୨ସାଙ୍ଗଙ୍କୁ ଗୁରୁତର ଅବସ୍ଥାରେ ପିସିଆର ଷ୍ଟାଫ ପହଂଚି ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଛନ୍ତି । ସିସିଟିଭି ଫୁଟେଜ ଓ ପିସିଆର ଷ୍ଟାଫଙ୍କ ଦ୍ଵାରା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଜବତ ହୋଇଛି ଥାର ଗାଡ଼ି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Tags: