ଭିଜିଲାନ୍ସ ଜାଲରେ ବଲାଙ୍ଗିର ସରକାରୀ ଆଇଟିଆଇ ପ୍ରିନ୍ସିପାଲ
ବଲାଙ୍ଗୀର : ବଲାଙ୍ଗିର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ପ୍ରିନ୍ସିପାଲ । ବଲାଙ୍ଗିର ରେଳ ଷ୍ଟେସନରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଆଇଟିଆଇ ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରା । ଆଇଟିଆଇରେ ଅସ୍ଥାୟୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ନଅ ଜଣ ପ୍ରଶିକ୍ଷକଙ୍କ ବକେୟା ଦରମା କରାଇ ଦେବାକୁ ଏହି ଲାଞ୍ଚ ନେଉଥିଲେ । ପ୍ରଶିକ୍ଷକ ମାନଙ୍କ ଠାରୁ ଏକ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୁରେଶ ଦଳବେହେରା । ନ ହେଲେ ଚାକିରିରୁ ବହିଷ୍କାର କରିବାର ମଧ୍ୟ ଧମକ ଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ଗେଷ୍ଟ ଇନଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।
ପୂର୍ବ ଯୋଜନା ଅନୁଯାୟୀ, ବଲାଙ୍ଗିର ରେଳ ଷ୍ଟେଶନ ନିକଟରେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଅର୍ଥର ପ୍ରଥମ କିସ୍ତି ବାବଦକୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ପ୍ରିନ୍ସିପାଲ୍ଙ୍କୁ ରେଡ୍ହାଣ୍ଡେଡ୍ କାବୁ କରିଥିଲା । ଜବତ ହୋଇଛି ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ୧୧ଟି ପ୍ଲଟ, ୨ଟି କୋଠା ସହ ୨୬୩ ଗ୍ରାମ୍ ସୁନା, ଅଢ଼େଇ କେଜି ରୁପା ,୫ ଲକ୍ଷ ୧୬ହଜାର ଟଙ୍କା ଜବତ ହୋଇଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆଗେଇ ଚାଲିଛି ।




