ବାଲିଅନ୍ତା ଘଟଣାରେ ବିରୋଧୀଙ୍କୁ କଡା ଜବାବ ଦେଲେ ବିଜେପି ନେତା
ସରକାର ଅପରାଧୀଙ୍କ ଆଗରେ ଏତେ ଅସହାୟ କାହିଁକି - ନବୀନ
ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଥିବା ବେଳେ ଏହାର କଡା ଜବାବ ଦେଇଛି ବିଜେପି । ବିଜେଡି ନେତା ଅରୁଣ ସାହୁ ରାଜ୍ୟ ସରକାରଙ୍କୁ ଅପାରଗ କହିଥିବାବେଳେ , ବିଜେପି ବିଧାୟକ ଅଗସ୍ଥି ବେହେରା କହିଛନ୍ତି ବିଜେଡି ସରକାରରେ ବହୁତ ଘଟଣା ଘଟୁଥିଲା l ବାଲିଅନ୍ତା ଘଟଣା ଲୋକଙ୍କ ଆକ୍ରୋଶ ଯୋଗୁଁ ଘଟିଲା l ଦୋଷୀଙ୍କୁ ଗିରଫ କରାଯାଇଛି l ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶାନୁକ୍ରମେ ମହିଳା କମିଶନ ସେହି ଘଟଣା ସ୍ଥଳକୁ ଯାଇଛନ୍ତି l ଯେଉଁଠି ବି ଅପରାଧ ହେଉଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛି ବିଜେପି । ବିରୋଧୀ ରାଜନୀତି ନକରି ସମ୍ବେଦନଶୀଳତା ଦେଖାଇବା କଥା ବୋଲି ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି ।
ସେହିପରି ବିଜେପି ସାଂସଦ ପ୍ରଦୀପ ପୁରୋହିତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବୁଲେଟ ଚଢେଇ ମାରିଦେବା, ପିଟିପିଟି ମାରିଦେବା ଘଟଣା ବିଚଳିତ କରିଛି। କିଛି ଦିନ ହେଲାଣି ରାଜ୍ୟରେ ବିଚଳିତ କଲା ଭଳି ଘଟଣା ଘଟୁଛି। ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି । ଏବେ ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି ମୋହନ ସରକାର । ଯେଉଁ ଘଟଣା ସାମ୍ନାକୁ ଆସିଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ଜଡିତ କିଛି ଲୋକ ଗିରଫ ହୋଇଛନ୍ତି। ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ହେବ। ଏହି ସମୟରେ ବିଜେଡିର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଲଜ୍ୟାଜନକ।
ସୂଚନାନୁସାରେ , ନିଆଳି ବାହାରାଣରୁ ଆସୁଥିବା ଦୁଇ ଯୁବକ ଗାଡି ଧକ୍କା ଦେବାରୁ ବିରୋଧ କରିଥିଲେ ଯୁବତୀ । ଘଟଣାକୁ ନେଇ ରାସ୍ତା ଉପରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଯୁବକ । ଏନେଇ ରାସ୍ତା ଉପରେ ହଙ୍ଗାମା ପରେ ଦୁଇ ଯୁବକକୁ ନିର୍ଦ୍ଧୁମ ପିଟିଥିଲେ ଉତ୍ୟକ୍ତ ଲୋକେ । ଲୋକଙ୍କ ମାଡରେ ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ତଦନ୍ତ ପରେ ଏବେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଆଜି ବିଜେଡି ନେତା ଅରୁଣ ସାହୁ କହିଥିଲେ ,ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡିଶା ୧ ନମ୍ବର ହେବ । ଓଡିଶାକୁ ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି । ରାଜ୍ୟକୁ କେବଳ ଜଗନ୍ନାଥ ଭରସା । ନିର୍ବାଚନ ଜିତି ଖୁସି ମନାଉଛନ୍ତି ସରକାର।
ସେହିପରି 'ମବ୍ ଲିଞ୍ଚିଂ' ହତ୍ୟା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ ସୋସିଆଲ ମିଡିଆ 'X' ମାଧ୍ୟମରେ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ପୋଷ୍ଟରେ ସେ ସରକାରଙ୍କୁ ଘେରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାଜଧାନୀ ନିକଟରେ ଦିନଦ୍ୱିପ୍ରହରରେ ଜଣେ ଯୁବକକୁ ପିଟିପିଟି ମାରିଦେବା ଅତ୍ୟନ୍ତ ବର୍ବର। ଏତେ ବଡ଼ ଜଘନ୍ୟ ଅପରାଧ ସତ୍ତ୍ୱେ ସରକାରଙ୍କ ନୀରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି।ଯଦି ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟୁଛି, ତେବେ ସାଧାରଣ ଲୋକ ନିଜ ସୁରକ୍ଷା ପାଇଁ କାହା ପାଖକୁ ଯିବେ? ପୋଲିସ ପ୍ରଶାସନ ଓ ସରକାର ଅପରାଧୀଙ୍କ ଆଗରେ ଏତେ ଅସହାୟ କାହିଁକି ବୋଲି ସେ ପଚାରିଛନ୍ତି।




