ଶୁଭଶ୍ରୀ ମୃତ୍ୟୁ ଘଟଣା, ଶୁଦ୍ଧି ହେଲେ ପରିବାର
ରାଜନଗର: କେନ୍ଦ୍ରାପଡ଼ା ରାଜନଗର ଶୁଭଶ୍ରୀ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ । ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଛି । ଶୁଭଶ୍ରୀ ନିଖୋଜ ଥିବା ନେଇ ଥାନାରେ ଏତଲା ଦେବାର ଦିନଟିଏ ପରେ ଶୁଦ୍ଧି ହୋଇଛନ୍ତି ପରିବାର । ଏହି ସନ୍ଦେହଜନକ ଘଟଣାର ବର୍ତ୍ତମାନ ସୁଦ୍ଧା ମୃତଦେହ ମିଳି ନଥିବାବେଳେ ପରିବାର ଲୋକେ ବ୍ରାହ୍ମଣ ଡାକି ୭ମ ଦିନରେ ଶୁଦ୍ଧିକ୍ରିୟା ଓ ଦଶାହ କର୍ମ କରିଛନ୍ତି । ଶୁଭଶ୍ରୀ ନିଖୋଜ ଅଛନ୍ତି ନା ତାଙ୍କର ମୃତ୍ୟୁ ହୋଇଛି ଏଯାଏଁ ସ୍ପଷ୍ଟ ହୋଇନି । ନାତୁଣୀ ନିଖୋଜ ଥିବା ଗତକାଲି ଶୁଭଶ୍ରୀଙ୍କ ଜେଜେ ଅଭିଯୋଗ କରିଥିଲେ ରାଜନଗର ଥାନାରେ ।
ଅନ୍ୟପଟେ ଏଯାଏଁ ଘଟଣାର ଟେର୍ ପାଉନି ପୋଲିସ । କାଲି ଶୁଭଶ୍ରୀଙ୍କ ୮୦ ବର୍ଷିୟ ଜେଜେ ଶୁକଦେବ ଦାସ ନାତୁଣୀ ନିଖୋଜ ଥିବା ନେଇ ରାଜନଗର ଥାନା ରେ ଅଭିଯୋଗ କରିଥିଲେ ।
ବ୍ରାହ୍ମଣଙ୍କ କହିବା ଅନୁସାରେ ପରିବାର ଲୋକେ ତାଙ୍କ ମୃତଦେହ ପାଇବା ପରେ ନଦୀରେ ଭସାଇଦେଇଛନ୍ତି । ତେଣୁ ୭ ଦିନରେ ଶୁଦ୍ଧି କ୍ରିୟା ହୋଇଛି । ଏବେ ପରିବାର ଲୋକେ କାହିଁକି ଶୁଦ୍ଧି ହେଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ପୋଲିସ୍ ର ନିରବତା ମଧ୍ୟ ଶୁଭଶ୍ରୀ ମୃତ୍ୟୁ ମାମଲାକୁ ଅଧିକ ରହସ୍ୟମୟ କରିଛି ।
ଘଟନାନୁସାରେ, ପ୍ରଥମେ ରାଜପୁର ଗାଁ ନିକଟସ୍ଥ ହଂସୁଆ ନଦୀର ଗର୍ଜନପୁରଠାରେ ଶୁଭଶ୍ରୀଙ୍କ ମୃତଦେହ ଲାଗିଥିବା ଦେଖାଯାଇଥିଲା। କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କିଛି ଜଣାଶୁଣା ଲୋକ ମୃତଦେହକୁ ପଥରରେ ବାନ୍ଧି ପୁଣିଥରେ ନଦୀରେ ବୁଡ଼ାଇ ଦେଇଥିବା କିମ୍ବା ଲୁଚାଇ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲେ ସୁଦ୍ଧା ମୃତଦେହ ର କୌଣସି ପତ୍ତା ମିଳିପାରି ନଥିଲା । ଏହାପରେ ପୋଲିସ ପରିବାର ଲୋକଙ୍କ ସହିତ ୮ଜଣକୁ ପଚାର ଉଚରା କରି ଛାଡି ଦେଇଥିଲା । ତେବେ ଗତକାଲି ପୁଣିଥରେ ଶୁଭଶ୍ରୀଙ୍କ ଜେଜେବାପା ନାତୁଣୀ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ଆଜି ତାଙ୍କ ପରିବାର ଲୋକ ଶୁଦ୍ଧି ହୋଇଥିବା ସୂଚନା ମିଳିଛି ।
ସୋସିଆଲ ମିଡିଆରେ ଶୁଭଶ୍ରୀଙ୍କର ଏକ ମୃତଦେହର ଫଟୋ ଘୂରି ବୁଲୁଥିଲେ ମଧ୍ୟ ପୋଲିସ ପକ୍ଷରୁ ଏହାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ନିଶ୍ଚିତ କରାଯାଇ ନାହିଁ। ଝିଅର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ଏବଂ ଏଥିରେ ପରିବାର ଲୋକଙ୍କର କି ଭୂମିକା ରହିଛି ସେ ନେଇ ରହସ୍ୟ ଘନୀଭୂତ ହେବାରେ ଲାଗିଛି।




