ସୌମ୍ୟ ହତ୍ୟା ମାମଲାରେ ଆଉଜଣେ ଗିରଫ
ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ଅନ୍ୟତମ ଅଭିଯୁକ୍ତ ଗିରଫ । ଢେଙ୍କାନାଳରୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ । ଗିରଫ ବ୍ୟକ୍ତି ହେଲେ ୪୬ବର୍ଷୀୟ ପ୍ରଦୀପ ମଙ୍ଗରାଜ । ବେଣୁପୁରରେ ତାର ଘର । ତାକୁ ଏହାକୁ ମିଶାଇ ଗିରଫ ସଂଖ୍ୟା ୧୮ରେ ପହଁଚିଛି । ଗତ ୭ ତାରିଖରେ ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ପ୍ରଦୀପର ବଡ଼ ସମ୍ପୃକ୍ତି ଥିବା ଜଣାପଡ଼ିଛି । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ୧୭ ଜଣଙ୍କୁ ଗିରଫ କରାଯାଇଥିଲା ।
ମୁଖ୍ୟ ଅଭିଯୁକ୍ତମାନେ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିଲେ । ଅନ୍ୟକୁ ମାଡ଼ ମାରିବା ପାଇଁ ମଧ୍ୟ ଉସୁକାଇଥିଲେ । ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ। ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ ଏଭିଡ଼େନ୍ସ ଜରିଆରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ। ବର୍ତ୍ତମାନ ସୁଦ୍ଧା ଆହୁରି 9 ଜଣ କ୍ରାଇମବ୍ରାଞ୍ଚ ନଜରରେ ଅଛନ୍ତି । ବିଭିନ୍ନ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ । ସେପଟେ ସମ୍ବେଦନଶୀଳ ମାମଲାରେ ବିଭିନ୍ନ ପକ୍ଷକୁ ଜେରା କରୁଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ଖଣ୍ଡପୀଠ। ଏନଏଚଆରସିର ୪ ଜଣିଆ ଟିମ୍ ୫ ତାରିଖ ପର୍ଯ୍ୟନ୍ତ ତଦନ୍ତ କରିବେ । ଏହିକ୍ରମରେ ଟିମ୍ ସୋମବାର ସୌମ୍ୟଙ୍କ ପରିବାର ନିକଟରେ ପହଞ୍ଚି ଆଲୋଚନା କରି ସମସ୍ତ ତଥ୍ୟ ବୁଝିଛନ୍ତି । ତା’ ସହ ପରିବାରକୁ ସମବେଦନା ଜଣାଇବା ସହ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।




