ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ
ଖୋର୍ଦ୍ଧା : ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକ ହେଲେ କୋଟିଏ କାହାଣିଆ ଗାଁର ମାନସ ବେହେରା । ଏପରି ସଂଗୀନ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ । ପୂର୍ବ ଶତ୍ରୁତାରୁ ତାଙ୍କୁ ଛୁରୀ ଭୁସି ହତ୍ୟା ପରେ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ମାନସ ଭୁବନେଶ୍ୱର ଯାଇ ଫେରି ନଥିଲେ । ଆଜି ସକାଳୁ ରଣପୁର ଥାନା ନିକଟସ୍ଥ ଭାଲିଆ ତଇଲା ଜଙ୍ଗଲକୁ କିଛି ଲୋକ କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ଏକ କାଜୁ ଗଛରେ ଜଣେ ଯୁବକ ଝୁଲୁଥିବା ଦେଖିଥିଲେ ।
ସୂଚନାନୁସାରେ, ନୟାଗଡ଼ ରଣପୁର ଥାନା ନୋତର ପଞ୍ଚାୟତ କୋଡିଏ କାହାଣିଆ ଗାଁର ମାନସ କୁମାର ବେହେରା ଗତକାଲି କୌଣସି କାମରେ ଭୁବନେଶ୍ୱର ଯାଇଥିଲେ । ବହୁ ସମୟ ଧରି ଘରକୁ ନଫେରିବା ସହ ତାଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍ ଅଫ୍ ଆସିବାରୁ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ମାନସଙ୍କୁ ନପାଇବାରୁ ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ରଣପୁର ଥାନା ନିକଟସ୍ଥ ଭାଲିଆ ତଇଲା ଜଙ୍ଗଲକୁ କିଛି ଲୋକ କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ଏକ କାଜୁ ଗଛରେ ଜଣେ ଯୁବକ ଝୁଲୁଥିବା ଦେଖିଥିଲେ । ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମାନସଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ କେହି ମାରି ଦେଇ ଗଛରେ ଝୁଲାଇ ଦେଇଛି । ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି । ଘଟଣାରେ ରଣପୁର ପୋଲିସ ତଦନ୍ତ ଜାରି ରଖିଛି ।




