ଜନ୍ମଦିନ ପାର୍ଟିରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା

ଜନ୍ମଦିନ ପାର୍ଟିରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା
Samaya Live News Picture
Published On

ଭୁବନେଶ୍ବର: ଜନ୍ମଦିନ ପାର୍ଟିରୁ ନିଖୋଜ ହେବାର ୧୭ ଦିନ ପରେ ମିଳିଲା ଯୁବକଙ୍କ ପତ୍ତା । କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଉଦ୍ଧାର ଯୁବକ ହେଲେ ସତ୍ୟଜିତ ଦାସ । ତାଙ୍କ ଘର ଖୋର୍ଦ୍ଧା ଗାନ୍ଧୀ ପଡିଆ ଅଞ୍ଚଳରେ । ସେ ଗତ ୧ ତାରିଖରୁ ନିଖୋଜ ଥିଲେ। ସେ ମଦନପୁରର ଏକ କଲେଜରେ ପ୍ଲସ୍ ଥ୍ରୀ ଦ୍ୱିତୀୟ ବର୍ଷର ଛାତ୍ର ଅଛନ୍ତି ।

ସୂଚନାନୁସାରେ,ସତ୍ୟଜିତ ଗତ ନଭେମ୍ବର ୧ ତାରିଖରେ ତାଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବାପାଇଁ ଭୁବନେଶ୍ୱର ଉପକଣ୍ଠ ଭରତପୁରରେ ଥିବା ଏକ କାଫେକୁ ଆସିଥିଲେ  । ବିଳମ୍ବିତ ରାତି ଯାଏଁ ସତ୍ୟଜିତ ଘରକୁ ନଫେରିବାରୁ ତାଙ୍କୁ ଫୋନ୍ କରିଥିଲେ ପରିବାର କିନ୍ତୁ ଫୋନ ବନ୍ଦ ଥିବାରୁ ଘଟଣା ସମ୍ପର୍କରେ ତାଙ୍କ ପରିବାର ଭରତପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏହାପରେ ଖୋର୍ଦ୍ଧା ଥାନାରେ ମଧ୍ୟ ଅଭିଯୋଗ ଦାୟର କରିଥିଲେ । କାଫେର ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରହିଥିଲା । ସିସିଟିଭି ଫୁଟେଜ ଅନୁଯାୟୀ ସତ୍ୟଜିତଙ୍କୁ ଶେଷ ଥର ପାଇଁ ଚନ୍ଦକା ରାସ୍ତାରେ ଦେଖାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ସତ୍ୟଜିତଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ସମ୍ପର୍କୀୟଙ୍କୁ ଫୋନ କରିଥିଲେ । ଖବରପାଇ ପରିବାର ଲୋକ ହସ୍ପିଟାଲରେ ପହଞ୍ଚି ସତ୍ୟଜିତଙ୍କୁ ଦେଖାକରିଥିବାବେଳେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କୁ ପ୍ରଥମେ କ୍ୟାପିଟାଲ ପରେ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି  । ତେବେ ସେ କାଫେରୁ କେମିତି କ୍ୟାପିଟାଲ ହସପିଟାଲ ଓ ପରେ କଟକ ବଡ଼ମେଡିକାଲ ପହଞ୍ଚିଲେ ସେନେଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କ ଠାରୁ ବୟାନ ସଂଗ୍ରହ କରାଯିବ ବୋଲି ପୋଲିସ ସୂଚନା ଦେଇଛି 

Tags: