୩ ନକ୍ସଲ ନିପାତ,ଯବାନ ସହିଦ
ମହାରାଷ୍ଟ୍ର : ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିପାତ । ମହାରାଷ୍ଟ୍ର ଗଡ଼ ଚିରୋଲିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିପାତ ହୋଇଥିବାବେଳେ ଜଣେ ମହାରାଷ୍ଟ୍ର ପୋଲିସର c 60 କମାଣ୍ଡୋ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏ.କେ.-୪୭ ଓ SLR ସହ ୩ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ଏହି ଘଟଣା ସୀମାବର୍ତ୍ତୀ ଛତିଶଗଡ଼ରେ ହୋଇଥିବା ସୂଚନା ମିଳିଛି ।
ସୂଚନାନୁସାରେ , ଗତ ବିଳମ୍ବିତ ରାତିରେ ଛତିଶଗଡ଼ ସୀମାବର୍ତ୍ତୀ ମହାରାଷ୍ଟ୍ର ଗଡ଼ ଚିରୋଲୀ ଜଙ୍ଗଲରେ କମ୍ପାନୀ ନମ୍ବର ୧୦ର ଅବଶିଷ୍ଟ ମାଓବାଦୀ ଏବଂ ଛତିଶଗଡ଼ର ଏକ ଅଜ୍ଞାତ ମାଓ ସ୍କ୍ବାର୍ଡ ଉପସ୍ଥିତ ଥିବା ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୂଚନା ଆଧାରରେ ଭାମରାଗଡ଼ର ସବ-ଡିଭିଜନାଲ୍ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ C-60 କମାଣ୍ଡୋ ଫୋର୍ସ ଗଡ଼ଚିରୋଲି ଜିଲ୍ଲାର ସୀମାନ୍ତରେ ଥିବା ଫୋଡେୱାଡା ନିକଟରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଅନ୍ଧାର ରାତିରେ ନକ୍ସଲମାନେ ପୋଲିସ ବାହିନୀ ଉପରେ ଗୁଳିଚାଳନା କରିଥିଲେ । ଯବାନଙ୍କ ପାଲଟା ଜବାବରେ ୩ ନକ୍ସଲ ନିପାତ ହେବା ସହ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ରେ ଭର୍ତି କରାଯାଇଛି । ବର୍ତ୍ତମାନସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।



