୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଭୁଶୁଡୁଛି ଲାଲ୍ ଦୁର୍ଗ । ଧୀରେ ଧୀରେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓ ସଦସ୍ୟ ଗତକାଲି ପୁଲିସ୍ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ସେମାନେ ବ୍ୟବହାର କରୁଥିବା ୯ଟି ବନ୍ଧୁକ, ୧୪ଟି ଟିଫିନ୍ ବୋମା, ବନ୍ଧୁକ-ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣକାରୀଙ୍କ ନାମରେ ୨ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ରାଶି ରହିଥିଲା। ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ଡିଜି କହିଛନ୍ତି।
ଓଡ଼ିଶାରେ ଥିବା ୭୦/୮୦ ମାଓବାଦୀଙ୍କ ମଧ୍ୟରୁ ୨୨ ଜଣଙ୍କ ଆତ୍ମସମର୍ପଣ । ଏମାନଙ୍କ ମଧ୍ୟରେ ଦୁଇ ଜଣ ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛନ୍ତି । ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ।
ଗତକାଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ଡିଜି,ଡ଼ିଆଇଜି କନୱର ଵିଶାଲ ସିଂ,ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ହିଂସାର ପଥ ଛାଡି ଆତ୍ମସମର୍ପଣ କରିଲେ ସରକାରୀସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି।




