ମିଛ କହୁଛନ୍ତି ୨ ଯୁବତୀ - ଓମ
ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ସାଙ୍ଗ ତଥା ଘଟଣାର ପ୍ରତ୍ୟକ୍ଷଦର୍ଶୀ ଓମପ୍ରକାଶ ରାଉତ । ସେ କହିଛନ୍ତି ବଳାତ୍କାର ଉଦ୍ୟମ ସମ୍ପୂର୍ଣ୍ଣ ମିଛ । ଏମିତି କିଛି ବି ଘଟିନାହିଁ । ଘଟଣା ଦିନ ଓମ୍ ପ୍ରକାଶ ଓ ସୌମ୍ୟ ଏକାଠି ଗୋଟିଏ ବାଇକ୍ରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ୱର ସତ୍ୟବିହାର ଜିମ୍କୁ ଆସୁଥିଲେ। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ି ଆସିଛି ବୋଲି ସୌମ୍ୟ କହିଥିଲେ । ଓମ୍ ଗାଡ଼ି ବୁଲାଇ ଘର ମୁହାଁ ହୋଇଥିଲା । ଏହି ସମୟରେ ହଠାତ୍ ସୌମ୍ୟଙ୍କୁ ବାତ ମାରିଥିଲା । ସେ ଅସ୍ୱାଭାବିକ ଆଚରଣ ଦେଖାଇଲେ । ଓମ୍ଙ୍କ ବେକକୁ ସୌମ୍ୟ ଜୋର୍ରେ ଧରି ପକାଇଥିଲେ । ଓମ୍ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା । ସମସ୍ତେ ତଳେ ପଡ଼ି ଯାଇଥିଲେ । ଦୁର୍ଘଟଣାକୁ ନେଇ ସାମାନ୍ୟ ପାଟି ତୁଣ୍ଡ ହୋଇଥିଲା । ଏହି ସମୟରେ ସୌମ୍ୟ ଆହୁରି ବିଚଳିତ ହୋଇ ଏକଦମ୍ ଅସ୍ୱାଭାବିକ ଆଚରଣ ଦେଖାଇବାକୁ ଲାଗିଲେ ।
ଜଣେ ଯୁବତୀଙ୍କ ସହ ଓମ୍କୁ ବି ହଠାତ୍ ମାଡ଼ ମାରିଥିଲେ ସୌମ୍ୟ । ତା’ପରେ ପାଗଳଙ୍କ ଭଳି ପାଖ ବିଲ ଆଡ଼କୁ ଧାଇଁବା ସହ ଚିତ୍କାର କରୁଥିଲେ । ସେହି ସମୟରେ ବାଟରେ ଯାଉଥିବା ଲୋକେ ରୁଣ୍ଡ ହୋଇଯାଇଥିଲେ । ଯୁବତୀଙ୍କ କଥା ଶୁଣି ସେମାନେ ସୌମ୍ୟଙ୍କୁ ଧରିବାକୁ ଗୋଡ଼ାଇଲେ । ଚାହୁଁ ଚାହୁଁ ଡକା ଡକି ହୋଇ ଲୋକମାନେ ମାଡ଼ି ଆସିଲେ । ସୌମ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିସ୍ତୁକ ପିଟି ଚାଲିଥିଲେ । ରୋକିବାକୁ ଓମ୍ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଲୋକଙ୍କ ମାଡରୁ ସେ ମଧ୍ୟ ବର୍ତ୍ତୀ ନଥିଲେ । ଓମ୍ ଆଉ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ବିନା ୟୁନିଫର୍ମ ରେ PCR ଷ୍ଟାଫ ମଧ୍ୟ ପହଞ୍ଚି ସୌମ୍ୟଙ୍କ ମୁହଁରେ ମାଡ଼ ମାରିଥିଲେ । ପ୍ରଥମେ ଆସିଥିବା PCR ଷ୍ଟାଫ ଚାହିଁଥିଲେ ତାଙ୍କୁ ବଞ୍ଚାଇ ପାରିଥାନ୍ତେ । କିନ୍ତୁ ସେମାନେ ତାହା ନକରି କେବଳ ଲେଖାଲେଖି କରିଥିଲେ । ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା ସୌମ୍ୟଙ୍କ ଉପରେ ଅମାନୁଷିକ ପ୍ରହାର । ଘଟଣା ସ୍ଥଳରେ ପୋଲିସ ଥିଲେ ମଧ୍ୟ କେବଳ ଦେଖଣାହାରୀ ସାଜିଥିଲା । ପୁଲିସ୍ ସାମ୍ନାରେ ସୌମ୍ୟଙ୍କୁ ପଘାରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିଲା । ୭୦/୮୦ ଲୋକ ଘେରି ରହିଥିବାବେଳେ ୧୦/୧୨ ଜଣ ମିଶି ପିଟିଥିଲେ। ମୋ ଆଖି ଆଗରେ ସବୁ ଘଟିଗଲା । ହେଲେ ମୁଁ ସୌମ୍ୟଙ୍କୁ ବଞ୍ଚାଇପାରିଲି ନାହିଁ । ପୁଲିସ୍ ଓ ଦୁଇ ଯୁବତୀ ଡାହା ମିଛ କହୁଛନ୍ତି । ସୌମ୍ୟଙ୍କ ଆକ୍ରମଣରେ ଯୁବତୀ ଚେତା ହରାଇଥିବା ନେଇ ଯାହା କହୁଛନ୍ତି, ତାହା ବି ମିଛ । ସୌମ୍ୟଙ୍କୁ ନ୍ୟାୟ ମିଳୁ । ଉଚ୍ଚସ୍ତରୀୟ ତଦନ୍ତରୁ ବାଲିଅନ୍ତା ପୋଲିସକୁ ଦୁରେଇ ରଖାଯାଉ ବୋଲି ଓମ୍ କହିଛନ୍ତି ।
ସେହିଭଳି ଏହି ଘଟଣାରେ ମୃତ ସୌମ୍ୟଙ୍କ ବାପା କହିଛନ୍ତି ୨ଝିଅ ଙ୍କୁ ଗିରଫ କରାଯାଉ । ପୁଅ ବିରୋଧରେ ଆଣିଥିବା ଦୁଷ୍କର୍ମ ଉଦ୍ୟମରେ କୌଣସି ସତ୍ୟତା ନାହିଁ । ଅନ୍ୟପଟେ ଏହି ବର୍ବର କାଣ୍ଡ ଘଟଣାରେ ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଗିରଫ କରାଯାଇ ଝାରପଡା ଜେଲ୍କୁ ପଠାଇଛି କମିଶନରେଟ ପୋଲିସ ।



