ପାରୋଲ ରେ ଯାଇ ୨ କଏଦୀ ଫେରାର
ଭୁବନେଶ୍ୱର : ଛୁଟି କାଟିବାକୁ ଯାଇ ୨ କଏଦୀ ଫେରାର । ଝାରପଡା ଜେଲରୁ ପାରୋଲରେ ଯାଇଥିବା ୨ କଏଦୀ ଆଉ ଫେରି ନଥିବା ସୂଚନା ମିଳିଛି । ଏମାନେ ହେଲେ ହତ୍ୟା ଅଭିଯୁକ୍ତ ଆସାମୀ ସୁଶୀଲ ଡିଗାଲ ଓ ନାବାଳିକା ଦୁଷ୍କର୍ମକାରୀ ରଞ୍ଜିତ ନାୟକ । ଏହା ଜଣାପଡ଼ିବା ପରେ ଝାରପଡ଼ା ଜେଲ ଅଧୀକ୍ଷକ ସର୍ବେଶ୍ବର ସାହୁ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି
ଖବର ଅନୁଯାୟୀ, ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ସୁଶିଲ ଡିଗାଲ ପୂର୍ବରୁ ବହୁ ବାର ପାରୋଲ ଛୁଟିରେ ଯାଇ ଘରକୁ ଫେରିଥିଲା । କିନ୍ତୁ ୨୦୨୪ ମସିହାରେ ପାରୋଲ ଛୁଟିରେ ଘରକୁ ଯାଇ ଆଉ ଫେରି ନଥିଲା । ଘଟଣାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ଯାଏ ଜେଲକୁ ଫେରି ନାହିଁ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ କିଛି ଖୋଜ ଖବର ନାହିଁ । ସେହିପରି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିବା ରଞ୍ଜିତ ନାୟକ ଗତ ଅକ୍ଟୋବର ୧ ତାରିଖରେ ଫଲୋ ଛୁଟିରେ ଯାଇଥିଲା। ସେ ଅକ୍ଟୋବର ମାସ ଶେଷ ସୁଦ୍ଧା ଫେରିବା କଥା । କିନ୍ତୁ ଦୁଇ ମାସ ହେବ ନ ଫେରିବାରୁ ଲକ୍ଷ୍ମୀସାଗର ଥାନାରେ ୨ଟି ଅଭିଯୋଗ କରିଛନ୍ତି ଝାରପଡ଼ା ଜେଲ ଅଧୀକ୍ଷକ । ସେହିପରି ଗତ ଅକ୍ଟୋବର ୩ ତାରିଖରୁ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ଦୁଇ ବିହାରୀ କଏଦୀଙ୍କ ମଧ୍ୟ ପତ୍ତା ଏଯାବତ ପାଉନି ପୋଲିସ ।




