ହୋଟେଲ ରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ୨ ଗିରଫ
ବାଲେଶ୍ୱର : ବାଲେଶ୍ବରରେ ହୋଟେଲ ରୁମରୁ ଯୁବକଙ୍କୁ ହତ୍ୟା ମାମଲାରେ ପର୍ଦ୍ଦାଫାସ । ଯୁବତୀଙ୍କ ସମେତ ଅନ୍ୟ ଜଣକୁ ଗିରଫ କରିଛି ବାଲେଶ୍ୱର ସହଦେଵ ଖୁଣ୍ଟା ପୋଲିସ । ମୃତକ ହେଲେ ଆକାଶ ମହାନ୍ତ । ଅନୈତିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାରୁ ହତ୍ୟାକାଣ୍ଡ ଘଟିଥିବା ନେଇ ସୂଚନା ଦେଇଛନ୍ତି ବାଲେଶ୍ବର ସିଟି ଡିଏସପି ।
ଗତ ଶନିବାର ଦିନ ବାଲେଶ୍ୱର ଟାଉନରେ ଥିବା ହୋଟେଲ ସୁରଜରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଅଞ୍ଚଳର ଆକାଶ ମହାନ୍ତ । ଗତ ୨୫ ତାରିଖ ଦିନ ଆକାଶ ଏବଂ ତାଙ୍କ ସାଙ୍ଗ ରାମଚନ୍ଦ୍ର ସିଂଙ୍କ ସହ ଜଣେ ବିବାହିତା ମହିଳା ମିଛ ପରିଚୟ ପତ୍ର ଦେଇ ସୁରଜ ହୋଟେଲରେ ରହିଥିଲେ । ଏହି ସମୟରେ ଆକାଶ ଉକ୍ତ ମହିଳାଙ୍କୁ ଅଶୋଭନୀୟ ଆଚରଣ କରିବାରୁ ଉଭୟ ଆକାଶଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ରାମଚନ୍ଦ୍ର ଏବଂ ଉକ୍ତ ମହିଳା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାର ତଦନ୍ତ କରି ଉକ୍ତ ମହିଳାଙ୍କୁ ଯାଜପୁରରୁ ଓ ରାମଚନ୍ଦ୍ରଙ୍କୁ ବେତନଟୀରୁ ସହଦେବଖୁଣ୍ଟା ଥାନା ପୋଲିସ ଗିରଫ କରିଛି । ଆକାଶଙ୍କୁ ହତ୍ୟା କରିଥିବା ଉଭୟ ଅଭିଯୁକ୍ତ ସ୍ବୀକାର କରିଛନ୍ତି ବୋଲି ସିଟି ଡିଏସପି ସୂଚନା ଦେଇଛନ୍ତି ।



