୧୭ ମାଓବାଦୀଙ୍କ ସହ ମାଓନେତା ପାପା ରାଓ ର ଆତ୍ମସମର୍ପଣ
ଛତିଶଗଡ଼ : ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍କା ଲାଗିଛି । ଆତ୍ମସମର୍ପଣ କଲା ମୋଷ୍ଟ ୱାଣ୍ଟେଡ ମାଓନେତା ପାପା ରାଓ । ମୁଣ୍ଡ ଉପରେ ଥିଲା ୨୫ଲକ୍ଷର ପୁରସ୍କାର ରାଶି । ପାପା ରାଓଙ୍କ ସହ ତାଙ୍କ ୧୭ଜଣ ସାଥି ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀ ମାନେ AK-47 ଏବଂ SLR ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ନେଇ ଆସିଥିଲେ। ମାର୍ଚ୍ଚ ୩୧ ପାଖେଇ ଆସୁଥିବା ବେଳେ ମାଓ ଗଡ଼ ଖାଲି ହେବାକୁ ଲାଗିଛି।
ପାପା ରାଓ ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସକ୍ରିୟ ରହି ମାଓବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ଏପରିକି ୨୦୧୦ ଦନ୍ତେୱାଡାରେ ହୋଇଥିବା ମାଓବାଦୀ ଆକ୍ରମଣରେ ୭୬ଜଣ ସିଆରପିଏଫ ଯବାନ ଶହୀଦ ହେବା ସହ ଅନେକ ଆହତ ହୋଇଥିଲେ । ଏହି ଘଟଣାରେ ମାଓବାଦୀ ନେତା ପାପା ରାଓଙ୍କ ବଡ଼ ସମ୍ପୃକ୍ତି ରହିଥିଲା ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ ଏହି ବିକାଶ ବାମପନ୍ଥୀ ଉଗ୍ରବାଦକୁ ସମାପ୍ତ କରିବା ପାଇଁ କେନ୍ଦ୍ରର ସଂକଳ୍ପକୁ ପ୍ରତିଫଳିତ କରେ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କର ଦୃଢ଼ ଇଚ୍ଛାଶକ୍ତି ଅଛି। ଗୃହମନ୍ତ୍ରୀଙ୍କ ମାର୍ଚ୍ଚ ୩୧ ତାରିଖର ଶେଷ ତାରିଖ ବହୁତ ନିକଟତର, ତେଣୁ ପାପା ରାଓ ଆତ୍ମସମର୍ପଣ କରିବା ଭଲ କଥା।
ଅନ୍ୟପକ୍ଷେ ତାଙ୍କ ସ୍ତ୍ରୀ ଉର୍ମିଲା ମଧ୍ୟ ସକ୍ରିୟ ଏବଂ ପ୍ରଭାବଶାଳୀ ମାଓବାଦୀ ନେତା ଥିଲେ । ୨୦୨୫ ନଭେମ୍ୱର ୧୩ରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ସୁରକ୍ଷା ବାହିନୀଙ୍କ ଏନ୍କାଉଣ୍ଟରରେ ଉର୍ମିଲା ନିହତ ହୋଇଥିଲେ । ଏପରିକି ମାଓବାଦୀ ନେତା ପାପା ରାଓ CRPF କ୍ୟାମ୍ପକୁ ଟାଗେର୍ଟ କରୁଥିଲେ।



