୨୪ ଘଣ୍ଟା ମଧ୍ୟରେ ଟଳିଲେ ୧୫ ନକ୍ସଲ,୩ ଯବାନ ସହିଦ
ଛତିଶଗଡ଼ : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ଧରଣର ମାଓ ନିପାତ ଅପରେସନ । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ନକ୍ସଲଙ୍କ ସହ ୩ ଡିଆରଜି ଯବାନ ସହିଦ ହୋଇଛନ୍ତି । ବିଜେପୁର କେଶୁକୁତୁଲ ଜଙ୍ଗଲ ମଧ୍ୟରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଗୁଳି ବିନିମୟ । ଏଥିରେ ଗତକାଲି ସୁଦ୍ଧା ୧୨ ଜଣ ନକ୍ସଲଙ୍କ ସହ ୩ ଜଣ ଡିଆରଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନ ସହିଦ ହୋଇଥିଲେ । ସେମାନେ ହେଲେ ହେଡ୍ କନଷ୍ଟେବଳ ମୋନୁ ଭଦାଡ଼ି, ରମେଶ ସୋଧି ଏବଂ କନଷ୍ଟେବଳ ଦୁକାରୁ ଗୋଣ୍ଡେ । ଆଉ ୨ ଜଣ ଆହତ ହୋଇଛନ୍ତି । ବିଜାପୁରରେ ଚାଲିଥିବା ସର୍ଚ୍ଚ ଅପରେସନ୍ରେ ଏବେ ସୁଦ୍ଧା ମୋଟ ୧୫ ନକ୍ସଲ ନିହତ ହୋଇଛନ୍ତି । ଏବେବି ଘଞ୍ଚ ଜଙ୍ଗଲରେ ତଲାସୀ ଅଭିଯାନ ସହ ଗୁଳିବିନିମୟ ଜାରି ରହିଛି ।
ବିଜାପୁର ଓ ଦନ୍ତେୱାଡ଼ା ସୀମାରେ ମାଓବାଦୀ ଏକାଠି ହୋଇଥିବା ନେଇ ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ବିଜାପୁର ପୋଲିସ ଡିଆରଜି, ଏସଟିଏଫ୍ ଓ କୋବ୍ରା ବାଟାଲିୟନ୍ ଆରମ୍ଭ କରିଥିଲା ମିଳିତ ଅପରେସନ୍ । DRG ଦନ୍ତେୱାଡ଼ା-ବିଜାପୁର, STF, CRPF ଏବଂ କୋବ୍ରା ବାହିନୀ ମାଓ ବିରୋଧୀ ଅପରେସନ୍ରେ ସାମିଲ୍ ହୋଇଛନ୍ତି । ସହିଦ ହୋଇଥିବା ଯବାନମାନଙ୍କୁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି I


