ହାଡ଼ିପ୍ପା ନିଖିଲ ହତ୍ୟା ପରେ ପୁଣି ଗୋଷ୍ଠୀ ବିବାଦ

ହାଡ଼ିପ୍ପା ନିଖିଲ ହତ୍ୟା ପରେ ପୁଣି ଗୋଷ୍ଠୀ ବିବାଦ
Samaya Live News Picture
Published On

ରାୟଗଡ଼ା : ହାଡ଼ିପ୍ପା ନିଖିଲ ହତ୍ୟା ପରେ ପୁଣି ଅଶାନ୍ତ ରାୟଗଡ଼ା ସହର । ପିଟଲା ଓ ରେଲି ସାହି ମଧ୍ୟରେ ବଚସା ଓ ମାରପିଟ ଘଟିଛି । ରାୟଗଡା ଥାନା ସମ୍ମୁଖରେ ମାରପିଟ ସହ ପଥର ଫିଙ୍ଗା ଫିଙ୍ଗି ହୋଇଛନ୍ତି ଉଭୟ ଗୋଷ୍ଠୀ । ପିଟଲା ସାହିରେ ପଶି ରେଲି ସାହିର କିଛି ଯୁବକ ଲୋକଙ୍କୁ ଗାଳିଗୁଲଜ ସହ ଅସଦାଚରଣ କରିଥିଲେ । ପ୍ରତିବାଦରେ ପିଟଲା ସାହିର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସେହି ସମୟରେ ରେଲି ସାହିର କିଛି ଯୁବକ ଥାନା ନିକଟରେ ପହଞ୍ଚି ଗାଳିଗୁଲଜ କରିଥିଲେ । ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା । ୩ ଜଣ ଗୁରୁତର ଆହତ ସହ ଉଭୟ ଗୋଷ୍ଠୀର ବହୁ ଯୁବକ ଆହତ ହୋଇଛନ୍ତି। ଆହତମାନେ ହେଲେ ପିଟିଲାସାହିର ଆନ୍ନାମାଝୀ ଯାକକା, ତ୍ରିନାଥ ମେଲେକା ଓ ରେଲି ସାହିର ଶୁଣ୍ଢୀ ସୂରଜ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଥାନା ଆଗରେ ବ୍ୟାପକ ପୁଲିସ ମୁତୟନ ହୋଇଛି। 

ସୂଚନାନୁସାରେ, ୧୯ବର୍ଷୀୟ ହାଡ଼ିପ୍ପା ନିଖିଲ ସହ ଅଭିଯୁକ୍ତମାନଙ୍କର ଜୁଆ ଖେଳକୁ ନେଇ ପୂର୍ବରୁ  ଶତ୍ରୁତା ରହିଥିଲା । ଘଟଣାକୁ ନେଇ ଗତ ମେ' ୯ ତାରିଖ ଦିନ ନିଖିଲକୁ ଗୋଟିଏ ଗୋଷ୍ଠୀ ଇନ୍ଦିରା ନଗର ଅଞ୍ଚଳରୁ ଅପହରଣ କରି ନେଇ ଗୋଡେଇ ଗୋଡେଇ ଗୁଳି କରି ହତ୍ୟା କରିଥିଲେ । ଗୋଟିଏ ଦିନ ପରେ, ତାଙ୍କ ମୃତଦେହ ନାଗାବଳୀ ନଦୀପଠାରୁ ଉଦ୍ଧାର କରାଯାଇଥିଲା । ସେହିପରି ତାଙ୍କ ମୋଟର ସାଇକେଲକୁ ଜାତୀୟ ରାଜପଥ-୩୨୬ ରେ ପୋଡି ଦିଆଯାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାରେ ରାୟଗଡା ଏସପି (ଏସପି) ସ୍ୱାତୀ ଏସ. କୁମାର୯ ଜଣଙ୍କୁ ଗିରଫ କରିଛନ୍ତି । ଏହି ଘଟଣାରେ ସମୁଦାୟ ୨୧ଜଣଙ୍କ ସମ୍ପୃକ୍ତି ଥିବାବେଳେ  ଅନ୍ୟ ମାନଙ୍କୁ ଧରିବା ପାଇଁ ଜୋରଦାର ଅଭିଯାନ ଚଳାଇଛି ପୋଲିସ  I

Tags: