ଶିଶୁପାଳ ଗଡ଼ ହତ୍ୟାକାଣ୍ଡ ,ଆଉ ଜଣେ ଗିରଫ
ଭୁବନେଶ୍ୱର : ବହୁଚର୍ଚ୍ଚିତ ଶିଶୁପାଳଗଡ଼ ତପୁ ନାଏକ ହତ୍ୟାକାଣ୍ଡ ଘଟଣା । ଆଉ ଜଣଙ୍କୁ ଗିରଫ କଲା ଧଉଳି ଥାନା ପୁଲିସ । ଅଭିଯୁକ୍ତ ଜଣକ ହେଲା ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ରଙ୍କ ଭାଇ ସୋମନାଥ ଗଜେନ୍ଦ୍ର । ଗତକାଲିଠାରୁ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି (ନଭେମ୍ବର ୧୧, ୨୦୨୬) ପୁଲିସ ତାଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ ବନ୍ଧୁକ ଲିଙ୍କ୍ ନେଇ ବଡ଼ ସୁରାକ୍ ମିଳିଥିଲା । ହତ୍ୟାକାଣ୍ଡ ଘଟଣାରେ ବର୍ତ୍ତମାନସୁଦ୍ଧା ୯ଜଣଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ
ପୂର୍ବରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ର ଓ ଉମେଶ ପଟ୍ଟନାୟକଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରିବା ସମୟରେ ବନ୍ଧୁକ କାରବାର ନେଇ ବଡ଼ ସୁରାକ୍ ମିଳିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକର ଯୋଗାଣ ଏବଂ ପ୍ରମାଣ ନଷ୍ଟ କରିବା ପଛରେ ସୋମନାଥଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ରଙ୍କ ଘରୁ ମାଗାଜିନ୍ ଭର୍ତ୍ତି ଅଫୁଟା ଗୁଳି ଏବଂ ୪ଟି ଦାମୀ କାର୍ ଜବତ କରାଯାଇଛି । ଏହା ସହିତ ଗତକାଲି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ ମଧ୍ୟ କରାଇଥିଲା ।
ସୂଚନାନୁସାରେ, ଗତ ନଭେମ୍ବର ୪ ତାରିଖ ବିଳମ୍ବିତ ରାତିରେ ଶିଶୁପାଳଗଡ଼ ବଡ଼ଟାଙ୍ଗି ଅଞ୍ଚଳରେ କିଛି ଯୁବକ ଏକାଠି ହୋଇ ଭୋଜିଭାତ ଓ ମଦ୍ୟପାନ କରୁଥିବା ବେଳେ ୨୫ ବର୍ଷୀୟ ଜେସିବି ଠିକାଦାର ତପୁ ନାଏକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣା ପରେ ଅଭିଯୁକ୍ତମାନେ ବନ୍ଧୁକକୁ ଗଙ୍ଗୁଆ ନାଳରେ ଫିଙ୍ଗି ଦେଇ ପୁଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ । ତେବେ ଧଉଳି ଥାନା ପୁଲିସ ତଦନ୍ତ କରି ଘଟଣାର ୧୨ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା ।




