ମିଳିଲା କଟାମୁଣ୍ଡ,ଥମିଲା ଉତ୍ତେଜନା
ଆଜି ଦିନ ୧୨ଟା ଯାଏ ଜାରି ରହିବ ଇଣ୍ଟରନେଟ କଟକଣା
ମାଲକାନଗିରି : ରା଼ଖେଲଗୁଡା ଗାଁର ଲାକେ ପଡ଼ିଆମୀଙ୍କ କଟାମୁଣ୍ଡ ମିଳିଲା । ମୁଣ୍ଡ ବିହୀନ ଶବ ମିଳିବା ପରେ ମାଲକାନଗିରି ଏମଭି - ୨୬ ଏବଂ ରାଖେଲଗୁଡା ଗାଁ ମଧ୍ୟରେ ଜୋରଦାର ଉତ୍ତେଜନା ସହ ପୋଡାଜଳା ଲାଗି ରହିଥିଲା ।ତେବେ ଗତକାଲି ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିବା ପରେ ଉତ୍ତେଜନା ସାମାନ୍ୟ ଥମିଛି । କିନ୍ତୁ ଆଜି ଦିନ ୧୨ଟା ଯାଏ ଜାରି ରହିବ ଇଣ୍ଟରନେଟ କଟକଣା । କଟାମୁଣ୍ଡ ମିଳିବା ପରେ ମାଲକାନାଗିରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏମ.ଭି/୨୬ ଓ ରାଖାଲଗୁଡ଼ା ଗାଁ ମୁଖିଆଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଳାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ଉଭୟ ପକ୍ଷ ମଧ୍ୟରେ ଆପୋସ ଆଲୋଚନା ମଧ୍ୟରେ ଉଭୟ ଗାଁର ୧୦ ଜଣ ଲେଖାଏଁଙ୍କୁ ନେଇ କୋର କମିଟି ଗଠନ କରାଯାଇ ଶାନ୍ତି ଫେରାଇ ଅଣାଯିବ ବୋଲି ସହମତି ପ୍ରକାଶ ପାଇଛି । ପୂର୍ବ ଭଳି ଭାଇଚାରା ବଜାୟ ରହିବ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।
ସୂଚନାନୁସାରେ,ଗତ ଡିସେମ୍ବର ୪ ତାରିଖରେ ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀ କୂଳରେ ଥିବା ଡୁଡାମେଟଲା ନିକଟରୁ ନିକଟସ୍ଥ ରାଖେଲଗୁଡା ଗାଁ ଲାକେ ପଡିଆମି ନାମକ ଜଣେ ବିଧବା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ୍ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ମହିଳାଙ୍କ ମୁଣ୍ଡ ମିଳିନଥିଲା । ଏହାକୁ ନେଇ ପରିବାର ଲୋକେ ମୁଣ୍ଡ ନ ମିଳିବା ପର୍ଯ୍ୟନ୍ତ ଶବ ସତ୍କାର କରିବେ ନାହିଁ ବୋଲି ଅଡି ବସିଥିଲେ। କାରଣ ପୂର୍ବରୁ ରାଖେଲଗୁଡ଼ା ଗାଁର ଲାକେ ପାଡିଆମୀଙ୍କର ଏମଭି-୨୬ ଗାଁ ଲୋକଙ୍କ ସହ ଜମି ବିବାଦ ରହିଥିଲା । ଏହାକୁ ନେଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ରା଼ଖେଲଗୁଡା ଗାଁ ଲୋକେ ସନ୍ଦେହ କରୁଥିଲେ ।
ତେବେ ପୋଲିସ ହତ୍ୟାକାରୀଙ୍କୁ ଗିରଫ ନ କରିବାରୁ ଏବଂ କଟା ମୁଣ୍ଡ ଉଦ୍ଧାର ନ ହେବାରୁ ରାଖାଲଗୁଡ଼ା ଗାଁ ଲୋକେ ରାଗି ଯାଇଥିଲେ । ପ୍ରତିବାଦରେ ଶହ ଶହ ଲୋକ ଏମଭି-୨୬ ଗାଁକୁ ଯାଇ ଭଙ୍ଗାରୁଜା କରିବା ସହ ଗାଁରେ କେତେକଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଭୟରେ ଏମଭି ୨୬ ଗାଁର ଲୋକେ ଘର ଛାଡ଼ି ପଳାଇଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ମାଲକାନଗିରି ଜିଲ୍ଲାରେ ଦୀର୍ଘ ୪୮ ଘଣ୍ଟା ଧରି ବନ୍ଦ ରହିଥିଲା ଇଣ୍ଟରନେଟ ସେବା । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ କାଲିମେଳା ପୋଲିସର ତଦନ୍ତ ଜାରି ରହିଛି ।


