ମାର୍ଚ୍ଚ ୫ ରେ ବିକ୍ରମ ପଣ୍ଡାଙ୍କ ଜାମିନ ଶୁଣାଣି
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା । ମାର୍ଚ୍ଚ ୫ ତାରିଖରେ ହେବ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି । ହାଇକୋର୍ଟ ପକ୍ଷରୁ ଏହି ତାରିଖ ଧାର୍ଯ୍ୟ କରାଯାଇଛି । ବୁଧବାର ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠରେ ଜାମିନ ଆବେଦନର ଶୁଣାଣି କରାଯାଇଥିଲା । ସରକାରୀ ଓକିଲ ସମୟ ମାଗିଥିଲେ । ଯାହାଫଳରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ୫ ତାରିଖରେ ଧାର୍ଯ୍ୟ ହୋଇଥିବା ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟନ ସୂଚନା ଦେଇଛନ୍ତି ।
ସେପଟେ ପୁଲିସ ଚାର୍ଜସିଟ୍ ଦାଖଲ କରିସାରିଥିବାବେଳେ ବିକ୍ରମ ପଣ୍ଡା ଓ କର୍ପୋରେଟର ମଳୟ ବିଷୋୟୀ ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । କୋର୍ଟ ନିର୍ଦ୍ଦେଶ ପ୍ରକାରେ ଉଭୟଙ୍କ ଚିକିତ୍ସା କରାଯାଉଛି । ଏଥିପାଇଁ ଚାର୍ଜଫ୍ରେମ ହୋଇପାରୁ ନାହିଁ । ପ୍ରତିପକ୍ଷଙ୍କ ଓକିଲ ସମସ୍ତ ରେକର୍ଡର କପି ଏବଂ ବିକ୍ରମଙ୍କ ଆପତ୍ତିଜନକ ଫଟୋ ଥିବା ପେନ୍ଡ୍ରାଇଭ୍ ମଧ୍ୟ ଦେଇନାହିଁ । ଜବତ ହୋଇଥିବା ସମସ୍ତ କପି ଦେବାକୁ କୋର୍ଟ ନିର୍ଦ୍ଦେଶ କରିଥିବାବେଳେ ଗତକାଲି ପୁଲିସ ଦୁଇ ଟ୍ରଙ୍କ୍ ଜବତ କାଗଜ ଦାଖଲ କରିଥିଲା । ସେ ଗୁଡ଼ିକ ସ୍ପଷ୍ଟ ଦେଖାଯାଉନଥିବାରୁ କୋର୍ଟ ଫେରାଇ ଦେଇଥିଲେ । ଆସନ୍ତା ୫ ତାରିଖରେ ସ୍ପଷ୍ଟ ଦିଶୁଥିବା କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା କୋର୍ଟ ।



