ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍‌ କଲେ ମାଓନେତା

ଭିଡିଓ ଜାରି କଲେ ପୂର୍ବତନ ମାଓନେତା ଭୂପତି

ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍‌ କଲେ ମାଓନେତା
Samaya Live News Picture
Published On

ମାଲକାନଗିରି: ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ନକ୍ସଲଙ୍କୁ ମାଓନେତାଙ୍କ ଅପିଲ । ଏକ ଭିଡ଼ିଓ ଜାରି କରି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅପିଲ୍‌ କରିଛନ୍ତି ପୂର୍ବତନ ମାଓନେତା ଭୂପତି । ଭିଡିଓ ବାର୍ତ୍ତା ମାଧ୍ୟମରେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ସେ ଅନୁରୋଧ କରିଛନ୍ତି । ଗତକାଲି ମାଓ ଟପ କମାଣ୍ଡର ହିଡମା ସହିତ ତା'ସ୍ତ୍ରୀ ଏବଂ ଅନ୍ୟ ୬ ଜଣଙ୍କର ମୃତ୍ୟୁ ପରେ ଭିଡ଼ିଓ ଜାରି କରିଛି ଭୂପତି । ଭୂପତି କହିଛନ୍ତି ଯେ ପରିବର୍ତ୍ତିତ ପରିସ୍ଥିତିରେ ଅସ୍ତ୍ର ଧରି ସଂଗ୍ରାମ କରିବା ସମ୍ଭବ ନୁହେଁ । ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ । ଲୋକଙ୍କ ସମସ୍ୟାର ସମାଧାନ ସମ୍ବିଧାନ ଜରିଆରେ ହୋଇପାରିବ । ଏବେ ସମୟ ବଦଳିଛି, ଦେଶ ବଦଳିଛି, ପରିସ୍ଥିତି ମଧ୍ୟ ବଦଳୁଛି । ତେଣୁ ଅସ୍ତ୍ର ଛାଡି ଲୋକଙ୍କ ପାଖକୁ ଯିବାକୁ ପଡିବ ବୋଲି ଭୂପତି କହିଛନ୍ତି । ସମ୍ବିଧାନ ଅନୁସାରେ କାମ କରିବାକୁ ହେବ, ଏହା ଏକମାତ୍ର ବିକଳ୍ପ । ଏହାକୁ ଅଣଦେଖା ନକରି ଅସ୍ତ୍ର ଛାଡି ଜନତାଙ୍କ ପାଖକୁ ଆସନ୍ତୁ । ଦେଢ ମାସ ତଳେ ଗଡଚିରୋଲିରେ ଆତ୍ମସମର୍ପଣ କରିଥିଲେ ସିପିଆଇ ସଂଗଠନର ଟପ୍‌ ମାଓନେତା ବେଣୁ ଗୋପାଳ ଭୂପତି ।

ସେପଟେ,ମାଓ ନିପାତ ଅଭିଯାନ ଜୋର ଧରିଥିବାବେଳେ ଥକି ଗଲେଣି ନକ୍ସଲ । ଏନ୍‌କାଉଣ୍ଟର ଯୋଗୁଁ ସଂଗଠନ ସମ୍ଭାଳୁଥିବା ମାଓନେତାଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ନୂଆ ନେତୃତ୍ବ ନେବାକୁ ଆଉ କେହି ସାହସ କରି ଆଗକୁ ଆସୁନାହାନ୍ତି । ଗତ ୨ ଦିନ ଧରି ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ୨ ଦିନ ଭିତରେ ୧୩ ଜଣ ମାଓବାଦୀ ନିପାତ ହୋଇଥିବାବେଳେ ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । କ୍ରିଷ୍ଣା, ଏଲୁରୁ, ଏନଟିଆର ବିଜୟୱାଡା, କାକିନାଡ଼ା କୋଣାସୀମାରୁ ଗିରଫ । ସବୁ ମାଓବାଦୀ ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ଡିଭିଜନର । ଗିରଫଙ୍କ ମଧ୍ୟରେ ୨୩ ପ୍ଲାଟୁନ ମାଓ ସଦସ୍ୟ, ୫ ଡିଭିଜନାଲ କମିଟି ମେମ୍ବର । ଗିରଫ ମାଓମାଦୀଙ୍କ ମଧ୍ୟରେ ଅଛନ୍ତି ୧୯ ଜଣ ଏରିଆ କମିଟି ସଦସ୍ୟ ଥିବା ଇଣ୍ଟେଲିଜେନ୍ସ ଏଡିଜି ମହେଶ ଚନ୍ଦ୍ର ଲଡ୍ଡା ସୂଚନା ଦେଇଛନ୍ତି ।

Tags: