ବିଶ୍ୱରେ ଡିଜିଟାଲ ଆତଙ୍କ! ହଠାତ କାହିଁକି ଅନ୍ଧାର ହେଲା ଅନଲାଇନ ଦୁନିଆ

ବିଶ୍ୱରେ ଡିଜିଟାଲ ଆତଙ୍କ! ହଠାତ କାହିଁକି ଅନ୍ଧାର ହେଲା ଅନଲାଇନ ଦୁନିଆ
Samaya Live News Picture
Published On

ଆଜିର ଡିଜିଟାଲ୍ ଯୁଗରେ ଶିକ୍ଷାଠାରୁ ଆରମ୍ଭ କରି ଚାକିରି ଓ ବ୍ୟବସାୟ ପର୍ଯ୍ୟନ୍ତ ସବୁଠି ମାଇକ୍ରୋସଫ୍ଟର ଗୁରୁତ୍ୱ ବଢ଼ିଛି। ବିଶ୍ୱର କୋଟି କୋଟି ଛାତ୍ରଛାତ୍ରୀ ଅନଲାଇନ୍ ପାଠପଢ଼ା, ପ୍ରୋଜେକ୍ଟ, ଆସାଇନମେଣ୍ଟ, ପ୍ରେଜେଣ୍ଟେସନ୍ ଓ ପରୀକ୍ଷା ପ୍ରସ୍ତୁତି ପାଇଁ Microsoft Word, Excel, PowerPoint ଓ Teams ଭଳି ସେବା ଉପରେ ନିର୍ଭର କରନ୍ତି । କେବଳ ଛାତ୍ରଛାତ୍ରୀ ନୁହନ୍ତି, ଶିକ୍ଷକ, ଅଫିସ୍ କର୍ମଚାରୀ ଓ ବିଭିନ୍ନ ସଂସ୍ଥା ମଧ୍ୟ ଏହାର ସେବା ବ୍ୟବହାର କରନ୍ତି। ଏଭଳି ସ୍ଥିତିରେ ମାଇକ୍ରୋସଫ୍ଟର ସେବାରେ ସାମାନ୍ୟ ବିଭ୍ରାଟ ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ଦୈନନ୍ଦିନ କାମକୁ ପ୍ରଭାବିତ କରିପାରେ ।
ମାଇକ୍ରୋସଫ୍ଟ ହେଉଛି ଆମେରିକାର ଏକ ପ୍ରମୁଖ ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ। ୧୯୭୫ ମସିହାରେ ବିଲ୍ ଗେଟ୍ସ ଓ ପଲ୍ ଆଲେନ୍ ଏହି କମ୍ପାନୀର ପ୍ରତିଷ୍ଠା କରିଥିଲେ। ଏହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର ୱାଶିଂଟନ୍ର ରେଡମଣ୍ଡରେ ରହିଛି। କମ୍ପ୍ୟୁଟରରେ ବ୍ୟବହୃତ Windows ଅପରେଟିଂ ସିଷ୍ଟମ୍, Microsoft Word, Excel, Outlook, Teams ଏବଂ Copilot ଭଳି ଅନେକ ଡିଜିଟାଲ୍ ସେବା ଏହି କମ୍ପାନୀ ପ୍ରଦାନ କରିଥାଏ। ବିଶ୍ୱର କୋଟି କୋଟି ଲୋକ ନିଜର ବ୍ୟକ୍ତିଗତ କାମ, ଶିକ୍ଷା, ବ୍ୟବସାୟ ଓ ଅଫିସ୍ କାର୍ଯ୍ୟ ପାଇଁ ମାଇକ୍ରୋସଫ୍ଟର ସେବା ଉପରେ ନିର୍ଭର କରନ୍ତି।
ବିଶ୍ୱର ଅନେକ ଦେଶରେ ହଠାତ୍ ଠପ୍ ହୋଇଗଲା ମାଇକ୍ରୋସଫ୍ଟର ଡିଜିଟାଲ୍ ସେବା । ଇମେଲ୍ ପଠାଇବାଠାରୁ ଆରମ୍ଭ କରି ଅନଲାଇନ୍ ମିଟିଂ ପର୍ଯ୍ୟନ୍ତ ସବୁକିଛିରେ ଦେଖାଦେଲା ସମସ୍ୟା। ଭାରତ ସମେତ ବିଶ୍ୱର ୭୪ଟି ଦେଶ ଓ ଅଞ୍ଚଳରେ ଏହି ସମସ୍ୟା ଦେଖାଦେଇଥିବା ରିପୋର୍ଟ ଆସିଛି। ତେବେ ହଠାତ୍ ଏମିତି କ'ଣ ହେଲା ଯେ ଏକ ବଡ଼ ଟେକ୍ନୋଲୋଜି କମ୍ପାନୀର ସେବା ଏକାଥରେ ପ୍ରଭାବିତ ହୋଇଗଲା?
ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବିଭ୍ରାଟ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା। Microsoft Outlook, Microsoft Teams, Copilot ସମେତ Microsoft 365ର ଅନେକ ସେବା ଠିକ୍ ଭାବେ କାମ କରିନଥିଲା। ଫଳରେ ଅନେକ ଲୋକ ନିଜ ଇମେଲ୍ ଖୋଲିବା, ମେସେଜ୍ ପଠାଇବା ଏବଂ ଅନଲାଇନ୍ କାମ କରିବାରେ ଅସୁବିଧା ଭୋଗିଥିଲେ ।
ଆମେରିକା, ଭାରତ, ଜାପାନ, ଅଷ୍ଟ୍ରେଲିଆ ସମେତ ଏସିଆ, ୟୁରୋପ ଓ ଆଫ୍ରିକାର ବିଭିନ୍ନ ଅଞ୍ଚଳରୁ ସମସ୍ୟା ନେଇ ଅଭିଯୋଗ ଆସିଥିଲା। ଆଉ ଏହାକୁ ନେଇ ଇଣ୍ଟରନେଟ୍ ଜଗତରେ ଆରମ୍ଭ ହୋଇଥିଲା ଚର୍ଚ୍ଚା  । ଏହା କ'ଣ କୌଣସି ବଡ଼ ସାଇବର ଆକ୍ରମଣ?
ପ୍ରାଥମିକ ତଦନ୍ତ ଅନୁସାରେ ଏହା କୌଣସି ସାଇବର ଆକ୍ରମଣ ନୁହେଁ। ମାଇକ୍ରୋସଫ୍ଟର କିଛି ସର୍ଭର ହଠାତ୍ ଅଚଳ ହୋଇଯିବାରୁ ଅନ୍ୟ ସର୍ଭର ଉପରେ ଅଧିକ ଚାପ ପଡ଼ିଥିଲା। ଫଳରେ ଇମେଲ୍ ଓ ଅନ୍ୟ ଡିଜିଟାଲ୍ ସେବାରେ ସଂଯୋଗ ସମସ୍ୟା ଦେଖାଦେଇଥିଲା। କମ୍ପାନୀ ମଧ୍ୟ କହିଛି ଯେ ଏହି ଘଟଣା ପଛରେ କୌଣସି ସାଇବର ଆକ୍ରମଣର ସଙ୍କେତ ମିଳିନାହିଁ।
କିନ୍ତୁ ମାଇକ୍ରୋସଫ୍ଟ ପକ୍ଷରୁ ଆସିଥିବା ପ୍ରାଥମିକ ସୂଚନା ଏହି ଆଶଙ୍କାକୁ ଖଣ୍ଡନ କରିଛି। କମ୍ପାନୀ କହିଛି, ଏହା ପଛରେ କୌଣସି ସାଇବର ଆକ୍ରମଣର ପ୍ରମାଣ ମିଳିନାହିଁ ।
ତେବେ ସମସ୍ୟାର କାରଣ କ'ଣ? ମାଇକ୍ରୋସଫ୍ଟର କିଛି ସର୍ଭର ହଠାତ୍ ଅଚଳ ହୋଇଯିବାରୁ ଅନ୍ୟ ସର୍ଭରଗୁଡ଼ିକ ଉପରେ ଅଧିକ ଚାପ ପଡ଼ିଥିଲା। ଫଳରେ ସମଗ୍ର ନେଟୱର୍କରେ ସଂଯୋଗ ସମସ୍ୟା ସୃଷ୍ଟି ହୋଇଥିଲା । ସର୍ଭରଗୁଡ଼ିକୁ ପୁଣି ଚାଲୁ କରିବା ପାଇଁ କମ୍ପାନୀ ଉଦ୍ୟମ କରିଥିଲେ ମଧ୍ୟ ଆରମ୍ଭରେ ଆଶାନୁରୂପ ସଫଳତା ମିଳିନଥିଲା ।
ବର୍ତ୍ତମାନ ମାଇକ୍ରୋସଫ୍ଟ ପକ୍ଷରୁ ପ୍ରଭାବିତ ସର୍ଭରଗୁଡ଼ିକୁ ସ୍ୱାଭାବିକ କରିବା ଏବଂ ସେବା ପୁନଃସ୍ଥାପନ ପାଇଁ ଉଦ୍ୟମ ଜାରି ରହିଛି।
ସବୁଠାରୁ ବଡ଼ କଥା ହେଉଛି, ମାଇକ୍ରୋସଫ୍ଟ ଏହାର ସମାଧାନ ପାଇଁ ଲଗାତାର ଉଦ୍ୟମ କରୁଛି। କିଛି ସର୍ଭରକୁ ପୁନଃ ଚାଲୁ କରାଯାଇଥିଲେ ମଧ୍ୟ ବ୍ୟବହାରକାରୀଙ୍କ ଚାପ ବଢ଼ିବା ପରେ ସେଗୁଡ଼ିକ ପୁଣି ଅଚଳ ହୋଇପଡ଼ୁଛି। ତେଣୁ ସେବା ସମ୍ପୂର୍ଣ୍ଣ କେବେ ସ୍ୱାଭାବିକ ହେବ, ସେନେଇ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସମୟ ଘୋଷଣା କରିନାହିଁ।

Tags: