ତୁର୍କମେନିସ୍ତାନର ‘ନର୍କଦ୍ୱାର’କୁ ବନ୍ଦ କରିବା ପାଇଁ ପ୍ରସ୍ତୁତି
ତୁର୍କମେନିସ୍ତାନ: ତୁର୍କମେନିସ୍ତାନରେ ଥିବା ନର୍କର ଦ୍ୱାରକୁ ବନ୍ଦ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କାରାକୁମ ମରୁଭୂମିରେ ସ୍ଥିତ ଏହି ୨୨୯ ଫୁଟ ଚଉଡ଼ା ଏବଂ ୬୬ ଫୁଟ ଗଭୀର ଗର୍ତ୍ତ ମେଥିନ୍ ଗ୍ୟାସ ନିର୍ଗତ କାରଣରୁ ଲଗାତାର ଜଳୁଛି । ଦେଶର ରାଷ୍ଟ୍ରପତି ଗୁରବାଙ୍ଗୁଲି ବର୍ଡିମୁଖାମେଦୋବ ନିଆଁକୁ ଲିଭାଇବା ସହ ଖାଲକୁ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ତେବେ ଏହି ଖାଲ କାରଣରୁ ହେଉଥିବା ଉଭୟ ପରିବେଶ ଏବଂ ଅର୍ଥର କ୍ଷତି […]
ତୁର୍କମେନିସ୍ତାନ: ତୁର୍କମେନିସ୍ତାନରେ ଥିବା ନର୍କର ଦ୍ୱାରକୁ ବନ୍ଦ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କାରାକୁମ ମରୁଭୂମିରେ ସ୍ଥିତ ଏହି ୨୨୯ ଫୁଟ ଚଉଡ଼ା ଏବଂ ୬୬ ଫୁଟ ଗଭୀର ଗର୍ତ୍ତ ମେଥିନ୍ ଗ୍ୟାସ ନିର୍ଗତ କାରଣରୁ ଲଗାତାର ଜଳୁଛି ।

ଦେଶର ରାଷ୍ଟ୍ରପତି ଗୁରବାଙ୍ଗୁଲି ବର୍ଡିମୁଖାମେଦୋବ ନିଆଁକୁ ଲିଭାଇବା ସହ ଖାଲକୁ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ତେବେ ଏହି ଖାଲ କାରଣରୁ ହେଉଥିବା ଉଭୟ ପରିବେଶ ଏବଂ ଅର୍ଥର କ୍ଷତି ଯୋଗୁଁ ଏହାକୁ ତୁରନ୍ତ ପଦକ୍ଷେପ ନେଇ କାମ ଆରମ୍ଭ କରିବାକୁ ରାଷ୍ଟ୍ରପତି ଗୁରବାଙ୍ଗୁଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏହାପୂର୍ବରୁ ୨୦୧୦ରେ ମଧ୍ୟ ରାଷ୍ଟ୍ରପତି ଏହି ନିଆଁକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ହେଲେ ଏହା ହୋଇପାରିନଥିଲା । କାରାକୁମରେ ଥିବା ଗ୍ରେଟର ନାମକ ଏହି ଖାଲ ୧୯୭୧ରୁ ଲଗାତାର ଜଳିବାରେ ଲାଗିଛି । ଏହାକୁ ଲୋକମାନେ ନର୍କର ଦ୍ୱାରା ବୋଲି ସମ୍ବୋଧନ କରୁଛନ୍ତି, ହେଲେ ଏହାର କୌଣସି ସମ୍ପର୍କ ନର୍କ କିମ୍ବା ସଇତାନ ସହ ବିଲକୁଲ ବି ନାହିଁ । ରିପୋର୍ଟ ଅନୁଯାୟୀ ୧୯୭୧ ମସିହାରେ ଯେତେବେଳେ ସୋଭିଏତ ସଂଘର ବୈଜ୍ଞାନିକ ମରୁଭୂମିରେ ତେଲ ଭଣ୍ଡାରର ସନ୍ଧାନ କରୁଥିଲେ, ସେହି ସମୟରେ ସେଠାରେ ପ୍ରାକୃତିକ ଗ୍ୟାସର ଭଣ୍ଡାର ମିଳିଥିଲା ।

ହେଲେ ମାଟି ଧସିପଡ଼ିବାରୁ ଗଭୀର ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା । ଗର୍ତ୍ତରୁ ନିର୍ଗତ ମିଥେନ ଗ୍ୟାସ ବାୟୁମଣ୍ଡଳରେ ବ୍ୟାପିବାର ବିପଦକୁ ଦେଖି ବୈଜ୍ଞାନିକମାନେ ନିଆଁ ଲଗାଇଦେଇଥିଲେ ଏବଂ ସେବେଠାରୁ ଏହା ଲଗାତାର ଜଳିବାରେ ଲାଗିଛି । ଏଥିପାଇଁ ଜଳୁଥିବା ଏହି ଗର୍ତ୍ତକୁ ନର୍କଦ୍ୱାରା କୁହାଯାଉଛି । ୨୦୧୩ରେ ନ୍ୟାସନାଲ ଜିଓଗ୍ରାଫିକ୍ ଚ୍ୟାନେଲ ଏହି ଗର୍ତ୍ତ ଉପରେ ଏକ ପ୍ରୋଗାମ ପ୍ରସ୍ତୁତ କରିବା ପାଇଁ କାରାକୁମ ଯାଇଥିଲେ । କଭରେଜ୍ ବେଳେ ଏହାର ଯାଞ୍ଚ୍ କରିଥିଲେ ଏବଂ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ମଧ୍ୟ ଉଠିଥିଲା ।
ତୁର୍କମେନିସ୍ତାନର ଭୂ-ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଗର୍ତ୍ତ ୧୯୬୦ ଦଶକରେ ହୋଇଥିଲା, ହେଲେ ଏଥିରେ ନିଆଁ ୧୯୮୦ ଦଶକରେ ଲାଗିଥିଲା । ଏହାପରେ ଧୀରେଧୀରେ ସମଗ୍ର ବିଶ୍ୱରେ ଏହା ଉପରେ ଚର୍ଚ୍ଚା ହେବାକୁ ଲାଗିଲା । ଏହି ଗର୍ତ୍ତ ତୁର୍କମେନିସ୍ତାନର ଚର୍ଚ୍ଚିତ ଏବଂ ଆକର୍ଷିତ କରୁଥିବା ପର୍ଯ୍ୟଟନସ୍ଥଳୀରେ ସାମିଲ ହେଲା ।

ପ୍ରତି ବର୍ଷ ଏହାକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ସମୟ ସହ ଏହାର ଲୋକପ୍ରିୟତା ବୃଦ୍ଧି କାରଣରୁ ୨୦୧୮ରେ ଏହାର ଔପଚାରିକ ନାମ ଘୋଷଣା କରାଗଲା । ରାଷ୍ଟ୍ରପତି ଏହାକୁ ‘ଶାଇନିଂ ଅଫ୍ କାରାକୁମ’ ନାମ ଦେଲେ ।




