ଶେଷରେ ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ, ଦେଶବ୍ୟାପୀ କର୍ଫ୍ୟୁ
କଲମ୍ବୋ: ମେ ୧୦: ଭୟଙ୍କର ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଗତକାଲି ସରକାର ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି । ସାଧାରଣ ଜନତା ପ୍ରଥମେ ଶାନ୍ତିଶୃଙ୍ଖଳା ସହିତ ଆନ୍ଦୋଳନ କରିଥିଲା ବେଳେ ସରକାରୀ ସମର୍ଥକମାନେ ପ୍ରଥମେ ଠେଙ୍ଗା ଓ ବାଡ଼ି ସହିତ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା । ଏଥିରେ ୧୮୦ରୁ ଅଧିକ ବ୍ୟକ୍ତି ଆହତ ହେବା ସହିତ ୫ ଜଣ […]
କଲମ୍ବୋ: ମେ ୧୦: ଭୟଙ୍କର ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଗତକାଲି ସରକାର ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି । ସାଧାରଣ ଜନତା ପ୍ରଥମେ ଶାନ୍ତିଶୃଙ୍ଖଳା ସହିତ ଆନ୍ଦୋଳନ କରିଥିଲା ବେଳେ ସରକାରୀ ସମର୍ଥକମାନେ ପ୍ରଥମେ ଠେଙ୍ଗା ଓ ବାଡ଼ି ସହିତ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା । ଏଥିରେ ୧୮୦ରୁ ଅଧିକ ବ୍ୟକ୍ତି ଆହତ ହେବା ସହିତ ୫ ଜଣ ମୃତ ହୋଇଛନ୍ତି । ଏଥିରେ ଉତ୍ୟକ୍ତ ସାଧାରଣ ଜନତା ଦେଶବ୍ୟାପୀ ହିଂସା କରିବା ସହିତ କେତେକ ସାଂସଦଙ୍କ ଘର ଜାଳିଦେଇଛନ୍ତି ।

ଫଳରେ ସୋମବାର ସରକାର ସାରା ଦେଶରେ କର୍ଫ୍ୟୁ ଲାଗୁ କରିବା ସହିତ କର୍ଫ୍ୟୁର ଅବଧିକୁ ବଢ଼ାଇ ବୁଧବାର ସକାଳ ୭ଟା ପର୍ଯ୍ୟନ୍ତ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ରାଷ୍ଟ୍ରପତିଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ଦେଶରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେନା ମୁତୟନ ହୋଇଛନ୍ତି । ହିଂସା ପରେ ଶାସକ ଦଳର ଜଣେ ସାଂସଦ ଅମରକୀର୍ତ୍ତି ଅଥୁକୋରଳ ସଂଘର୍ଷ-ସ୍ଥଳରେ ଜଣେ ପ୍ରତିବାଦକାରୀଙ୍କୁ ଗୁଳିମାରି ହତ୍ୟା କରିବା ପରେ ନିଜକୁ ବି ଗୁଳିମାରି ଆତ୍ମହତ୍ୟା କରିଛନ୍ତି ।

ଅନ୍ୟପକ୍ଷରେ, ଉତ୍ୟକ୍ତ ଜନତା ସାଂସଦ ସନତ ନିଶାନ୍ତଙ୍କ ଘରେ ନିଆଁ ଲଗାଇଦେଇଥିବା ଏବଂ କୁରୁଣାଗଳା ମେୟର ତୁଷାର ସଂଜୀବଙ୍କ ଘର ଉପରେ ଆକ୍ରମଣ କରିଥିବା ରିପୋର୍ଟ ମିଳିଛି । ସେହିପରି ମାଉଣ୍ଟ ଲାଭିନିଆ-ସ୍ଥିତ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଣ୍ଡୋଙ୍କ ବାସଭବନରେ ମଧ୍ୟ ଉତ୍ତ୍ୟକ୍ତ ଜନତା ଆକ୍ରମଣ କରିଛନ୍ତି । ଏହିପରି କି ଜନତାମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପିତାଙ୍କ ସ୍ମୃତିରେ ନିର୍ମିତ ସ୍ମାରକୀଙ୍କୁ ନଷ୍ଟ କରିଦେଇଛନ୍ତି । ଏଥିସହିତ କଲମ୍ବୋଠାରୁ ୨୫୦ କିମି ଦୂର ହମବାନ୍ତୋତାରେ ଥିବା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପେତୃକ ଘର ଜାଳି ଦେଇଛନ୍ତି । ୩ ଜଣ ପୂର୍ବତନ ମନ୍ତ୍ରୀ ଏବଂ ୨ ଜଣ ସାଂସଦଙ୍କ ଘରକୁ ମଧ୍ୟ ଆନ୍ଦୋଳନକାରୀମାନେ ଜାଳି ଦେଇଥିବା ସୂଚନା ମିଳିଛି ।

ସ୍ୱାଧୀନତା ପରଠାରୁ ଆଜିଯାଏ ଦେଖାଯାଇ ନ ଥିବା ସବୁଠାରୁ ଭୟଙ୍କର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଶ୍ରୀଲଙ୍କା । ବିଜୁଳି, ଖାଦ୍ୟ, ଇନ୍ଧନ, ଔଷଧ ଆଦି ମିଳୁନ ଥିବାରୁ ସାଧାରଣ ଜନତା ଆନ୍ଦୋଳନ କରିଛନ୍ତି । ସାଧାରଣ ଜନତାଙ୍କ ଆନ୍ଦୋଳନକୁ ସରକାର ସମର୍ଥକମାନେ ଦମନ କରିବାକୁ ଚେଷ୍ଟା କରିବାକରୁ ଉତ୍ୟକ୍ତ ଜନତାଙ୍କ ଶିକାର ହୋଇଛନ୍ତି । ଉତ୍ୟକ୍ତ ଜନତାଙ୍କୁ ଅଟକାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ଼ କରିଛି ।




