ଆମେରିକାରେ ରହିବାକୁ ଗୋଟାବାୟାଙ୍କ ଆବେଦନ
କଲମ୍ବୋ: ସରକାର ବିରୋଧୀ ପ୍ରତିବାଦ ବେଳେ ବିଦେଶକୁ ଖସି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରିବାକୁ ‘ଗ୍ରିନ୍ କାର୍ଡ’ ପାଇଁ ଆବେଦନ କରିଛନ୍ତି ବୋଲି ଗୁରୁବାର ଦିନ ଏକ ଗଣମାଧ୍ୟମ ରିପୋର୍ଟ କରିଛି । ‘ଗ୍ରିନ୍ କାର୍ଡ’ ମିଳିବା ପରେ ଗୋଟାବାୟା, ତାଙ୍କ ପତ୍ନୀ ଓ ପୁତ୍ର ସ୍ଥାୟୀ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ରହିବେ । ଏ ସଂକ୍ରାନ୍ତରେ ଶ୍ରୀଲଙ୍କୀୟ ସମ୍ବାଦପତ୍ର ‘ଡେଲି ମିରର୍’ ପ୍ରକାଶ କରିଥିବା ରିପୋର୍ଟରେ ଉଲ୍ଲେଖ […]
କଲମ୍ବୋ: ସରକାର ବିରୋଧୀ ପ୍ରତିବାଦ ବେଳେ ବିଦେଶକୁ ଖସି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରିବାକୁ ‘ଗ୍ରିନ୍ କାର୍ଡ’ ପାଇଁ ଆବେଦନ କରିଛନ୍ତି ବୋଲି ଗୁରୁବାର ଦିନ ଏକ ଗଣମାଧ୍ୟମ ରିପୋର୍ଟ କରିଛି ।
‘ଗ୍ରିନ୍ କାର୍ଡ’ ମିଳିବା ପରେ ଗୋଟାବାୟା, ତାଙ୍କ ପତ୍ନୀ ଓ ପୁତ୍ର ସ୍ଥାୟୀ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ରହିବେ । ଏ ସଂକ୍ରାନ୍ତରେ ଶ୍ରୀଲଙ୍କୀୟ ସମ୍ବାଦପତ୍ର ‘ଡେଲି ମିରର୍’ ପ୍ରକାଶ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି, ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ରାଜପକ୍ଷେଙ୍କ ଓକିଲ ‘ଗ୍ରିନ୍ କାର୍ଡ’ ପାଇଁ ଗତ ମାସରୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତାଙ୍କ ପତ୍ନୀ ଲୋମା ରାଜପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ ହୋଇଥିବାରୁ ‘ଗ୍ରିନ୍ କାର୍ଡ’ ପାଇଁ ଆବେଦନ କରିବା ଲାଗି ଗୋଟାବାୟାଙ୍କର ଯୋଗ୍ୟତା ଅଛି ।
୨୦୧୯ ରାଷ୍ଟ୍ରପତୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ରାଜପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକିବ ପରିତ୍ୟାଗ କରିଥିଲେ । ସୂଚନାଯୋଗ୍ୟ, ୧୯୮୮ରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଚାଲିଯିବାର ପୂର୍ବରୁ ଶ୍ରୀଲଙ୍କା ସେନାରେ ଚାକିରି କରୁଥିବା ରାଜପକ୍ଷେ ଅବସର ଗ୍ରହଣ ସମୟ ପୂର୍ବରୁ ଅବସର ନେଇ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ଚାଲିଯାଇଥିଲେ । ଏହାପରେ. ୨୦୦୫ରେ ସେ ଶ୍ରୀଲଙ୍କାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଏବେ ଯୁକ୍ତରାଷ୍ଟ୍ର ଆମେରିକାର ‘ଗ୍ରିନ୍ କାର୍ଡ’ ପାଇଁ ଆବଶ୍ୟକ ଅତିରିକ୍ତ କାଗଜପତ୍ର କଲମ୍ବୋରେ ଥିବା ତାଙ୍କ ଓକିଲ ଦାଖଲ କରୁଛନ୍ତି ବୋଲି ଉକ୍ତ ସମ୍ବାଦପତ୍ର ରିପୋର୍ଟରେ ଉଲ୍ଲେଖ ଅଛି ।
ସମ୍ପ୍ରତି ବ୍ୟାଙ୍ଗକରେ ଏକ ହୋଟେଲରେ ରହୁଥିବା ୭୩ ବର୍ଷିୟ ରାଜପକ୍ଷେ ପତ୍ନୀଙ୍କ ସହିତ ଅଗଷ୍ଟ ୨୫ ତାରିଖରେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିବେ । ଅନୂ୍ୟନ ନଭେମ୍ବର ପର୍ଯ୍ୟନ୍ତ ଥାଇଲାଣ୍ଡରେ ରହିବେ ବୋଲି ପ୍ରଥମେ ସେ ଯେଉଁ ଯୋଜନା କରିଥିଲେ ବାତିଲ କରାଯାଇଛି ବୋଲି ମଧ୍ୟ ଉକ୍ତ ରିପୋର୍ଟରେ କୁହାଯାଇଛି ।




